ବୌଦ୍ଧ ଜିଲ୍ଲାରେ ମତଦାନ କେନ୍ଦ୍ର ପୁନଃବ୍ୟବସ୍ଥାପନା ବିଷୟରେ ରାଜନୈତିକ ଦଳଙ୍କ ସହିତ ଆଲୋଚନା
ନିର୍ବାଚନ ଆୟୋଗ ଭାରତଙ୍କ ଦ୍ୱାରା ନିର୍ଦ୍ଦେଶିତ ନୀତି ଅନୁଯାୟୀ ଯେଉଁ ମତଦାନ କେନ୍ଦ୍ରରେ ୧୨୦୦ କିମ୍ବା ତାହାଠାରୁ ଅଧିକ ମତଦାତା ଅଛନ୍ତି, ସେଗୁଡ଼ିକର ପୁନଃବ୍ୟବସ୍ଥାପନା ସମ୍ପର୍କରେ ଆଲୋଚନା କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ,ବୌଦ୍ଧ ଶ୍ରୀ ବିଭୁତି ଭୂଷଣ ନାୟକ,ଭା.ପ୍ର.ସେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।
ଏହି ବୈଠକରେ ୮୫-କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୮୬-ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ଯଥା ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ଶ୍ରୀ ପ୍ରଭାଶ ଚନ୍ଦ୍ର ଦାଣ୍ଡସନା ଓ ଉପଜିଲ୍ଲାପାଳ, ବୌଦ୍ଧ ଶ୍ରୀ ବିନୟ କୁମାର ଭୋଇ ଉପସ୍ଥିତ ଥିଲେ। ସହ ଉଭୟ ବିଧାନସଭା ମଣ୍ଡଳୀର ସମସ୍ତ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।
ରାଜନୈତିକ ଦଳମାନେ ମଧ୍ୟ ସକ୍ରିୟ ଭାବେ ଉପସ୍ଥିତ ଥିଲେ। ଭାରତୀୟ ଜାତୀୟ କଂଗ୍ରେସ (INC) ପକ୍ଷରୁ ଶ୍ରୀ ସମରେଶ ମିଶ୍ର, ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ଶ୍ରୀ ବିପ୍ର ଚରଣ ମହାନ୍ତି ଓ ଶ୍ୟାମସୁନ୍ଦର ପୁରୋହିତ , ଏବଂ ବିଜୁ ଜନତା ଦଳ (BJD) ପକ୍ଷରୁ ଶ୍ରୀ ଅବକାଶ ସାହୁ ଏବଂ ଶ୍ରୀ ସନ୍ତୋଷ ନାୟକ ଉପସ୍ଥିତ ଥିଲେ।
ରାଜନୈତିକ ଦଳ ପ୍ରତିନିଧିମାନେ ମତଦାନ କେନ୍ଦ୍ର ପୁନଃବ୍ୟବସ୍ଥାପନା ପ୍ରକ୍ରିୟା ସହ ସମ୍ପୃକ୍ତ ନିମ୍ନତମ ଦୂରତା, ମତଦାନ କେନ୍ଦ୍ରରେ ସମସ୍ତ ସୁବିଧା (AMF) ମିଳିବା ଓ ନିର୍ବାଚନ କାର୍ଯ୍ୟ ସମ୍ପାଦନରେ ସୁଚାରୁ ମ୍ୟାନେଜମେଣ୍ଟ ନିମନ୍ତେ ମତାମତ ଓ ପ୍ରସ୍ତାବ ରଖିଥିଲେ।
ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତଙ୍କ ମତାମତକୁ ଗମ୍ଭୀରତାର ସହିତ ଗ୍ରହଣ କରି ସଂପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଜନ-ସହଭାଗିତା ମୂଳକ ଭାବରେ କାର୍ଯ୍ୟାନ୍ୱିତ କରିବା ଦୃଢ଼ ସଙ୍କଳ୍ପ ପ୍ରକାଶ କରିଛନ୍ତି।
ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର, ସହକାରୀ ଜିଲ୍ଲାପାଳ,ଶ୍ରୀ ଶରତ ମିଶ୍ର ବୈଠକକୁ ପରିଚାଳନା କରିଥିଲେ ଏବଂ ବରିଷ୍ଠ ରାଜସ୍ବ ସହାୟକ ଶ୍ରୀ ସରୋଜ କୁମାର ବେହେରା, କନିଷ୍ଠ ରାଜସ୍ବ ସହାୟକ ଶ୍ରୀ ଜିତେନ୍ଦ୍ର କୁମାର ମେହେର, ମିତାଞ୍ଜଳି କହଁର,ପ୍ରଦୀପ୍ତ କୁମାର ନାୟକ, ମନୋଜ କୁମାର ବେହେରା ଓ ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
