*ଢେଙ୍କାନାଳରେ ୟୁନିଫାଏଡ୍ ପେନ୍ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ (UPMP)ର ଶୁଭାରମ୍ଭ ଓ ମଧୁବାବୁ ପେନ୍ସନ୍ ଯୋଜନାରେ ୧୭,୬୦୯ ନୂତନ ହିତାଧିକାରୀ ସାମିଲି l*
ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )୧୨/୧୧:
ରାଜ୍ୟରେ ସାମାଜିକ ସୁରକ୍ଷା ପେନ୍ସନ୍ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ୟୁନିଫାଏଡ୍ ପେନ୍ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ (UPMP)ର ଶୁଭାରମ୍ଭ ଏବଂ ମଧୁବାବୁ ପେନ୍ସନ୍ ଯୋଜନା (MBPY)ରେ ସାଚୁରେସନ୍ ମୋଡ୍ରେ ନୂତନ ହିତାଧିକାରୀଙ୍କୁ ପେନ୍ସନ୍ ମଞ୍ଜୁରୀ ନିମନ୍ତେ ଆଜି ଅପରାହ୍ନ ୩ଟାରେ ଢେଙ୍କାନାଳସ୍ଥିତ ଆର୍ଟ ଆଣ୍ଡ କ୍ରାଫ୍ଟ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ ଯେ, ପେନ୍ସନ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ସହ ପ୍ରକୃତ ହିତାଧିକାରୀଙ୍କ ନିକଟରେ ବିନା ବିଳମ୍ବରେ ସରକାରୀ ସହାୟତା ପହଞ୍ଚାଇବା ଦିଗରେ ଏହା ଓଡ଼ିଶା ସରକାରଙ୍କ ଏକ ଐତିହାସିକ ପଦକ୍ଷେପ। ବିକଶିତ ଓଡ଼ିଶା ୨୦୩୬ ଗଠନ ଦିଗରେ ଏହା ଏକ ପ୍ରମୁଖ ସଂସ୍କାରମୂଳକ ପଦକ୍ଷେପ ବୋଲି ସେ ମତବ୍ୟକ୍ତ କରିଥିଲେ।
ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ନିଜ ଅଭିଭାଷଣରେ କହିଥିଲେ ଯେ, ୟୁନିଫାଏଡ୍ ପେନ୍ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ସାମାଜିକ ସୁରକ୍ଷା ପେନ୍ସନ୍ ସେବାକୁ ସରଳୀକରଣ, ସୁବ୍ୟବସ୍ଥିତ ଓ ଡିଜିଟାଇଜ୍ କରିବା। ବିଭିନ୍ନ ପେନ୍ସନ୍ ଯୋଜନାକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଇବା ଫଳରେ ବରିଷ୍ଠ ନାଗରିକ, ବିଧବା ମହିଳା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଭଳି ଯୋଗ୍ୟ ହିତାଧିକାରୀମାନେ ସ୍ୱଚ୍ଛ, ସମୟୋଚିତ ଓ ଝାମେଲାମୁକ୍ତ ଭାବେ ଆର୍ଥିକ ସହାୟତା ପାଇପାରିବେ।
ଏହି ନୂତନ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି, ଏଣିକି ୮୦ ବର୍ଷ ବୟସ ପୂରଣ କରୁଥିବା ପେନ୍ସନ୍ ହିତାଧିକାରୀମାନେ ବିନା ନୂତନ ଆବେଦନରେ ସ୍ୱତଃପ୍ରବୃତ୍ତ ଭାବେ ମାସିକ ୩,୫୦୦ ଟଙ୍କା ପେନ୍ସନ୍ ପାଇବାକୁ ଯୋଗ୍ୟ ହେବେ। ଏହାଦ୍ୱାରା ବରିଷ୍ଠ ନାଗରିକମାନଙ୍କୁ ପୁନର୍ବାର ଆବେଦନ କରିବାର ଆବଶ୍ୟକତା ପଡ଼ିବ ନାହିଁ।
ଏହି ଯୋଜନାରେ ଯୋଗ୍ୟ ବ୍ୟକ୍ତିମାନେ https://upmp.odisha.gov.in ପୋର୍ଟାଲ୍ରେ ଅନଲାଇନ୍ ଆବେଦନ କରିପାରିବେ। ନିକଟସ୍ଥ କମନ୍ ସର୍ଭିସ୍ ସେଣ୍ଟର (CSC) କିମ୍ବା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଆବେଦନ ସମ୍ପର୍କିତ ସହାୟତା ଉପଲବ୍ଧ ହେବ। ଆବେଦନ ଦାଖଲର ପରବର୍ତ୍ତୀ ମାସରୁ ନିୟମିତ ପେନ୍ସନ୍ ପ୍ରଦାନ ଆରମ୍ଭ ହେବ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନରେଶ ସ୍ୱାଇଁ ଢେଙ୍କାନାଳ ଜିଲ୍ଲାର ବ୍ଲକ୍ ଓ ପୌରାଞ୍ଚଳଭିତ୍ତିକ ନୂତନ ହିତାଧିକାରୀଙ୍କ ତଥ୍ୟ ଉପସ୍ଥାପନ କରିଥିଲେ। ଢେଙ୍କାନାଳ ଜିଲ୍ଲାରେ ମଧୁବାବୁ ପେନ୍ସନ୍ ଯୋଜନାରେ ମୋଟ ୧୭,୬୦୯ ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ସେ ଯୋଗ୍ୟ ବ୍ୟକ୍ତିମାନଙ୍କୁ UPMP ପୋର୍ଟାଲ୍ରେ ଆବେଦନ କରି ଏହି ସୁବିଧାର ଲାଭ ନେବାକୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବିଧାୟିକା ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୀମାରାଣୀ ନାୟକ, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ଢେଙ୍କାନାଳ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଢେଙ୍କାନାଳ ସଦର ବ୍ଲକ୍ ଅଧ୍ୟକ୍ଷ ଶ୍ରୀ କାଳନ୍ଦୀ ବାରିକ ଏବଂ ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ରିଣାରାଣୀ ଖଟୁଆଙ୍କ ସମେତ ବିଭିନ୍ନ ଜନପ୍ରତିନିଧି, ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ହିତାଧିକାରୀମାନେ ଉପସ୍ଥିତ ଥିଲେ।
ଶେଷରେ ଅତିଥିମାନେ UPMP ସମ୍ପର୍କରେ ଜନସଚେତନତା ସୃଷ୍ଟି ନିମନ୍ତେ ଉଦ୍ଦିଷ୍ଟ ତିନୋଟି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଜିଲ୍ଲାର ତିନୋଟି ଉପଖଣ୍ଡ ଅଭିମୁଖେ ଶୁଭାରମ୍ଭ କରିଥିଲେ। ଏହି ରଥ ମାଧ୍ୟମରେ UPMP ପୋର୍ଟାଲ୍, ଆବେଦନ ପ୍ରକ୍ରିୟା ଓ ପେନ୍ସନ୍ ସୁବିଧା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବ।
