ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ଦାବିରେ କୁଳିଅଣା (ଚାନ୍ଦୁଆ) ବ୍ଲକସ୍ତରୀୟ ବିଶାଳ ଜନସମାବେଶ
ଚାନ୍ଦୁଆ, ୧୪/୧୦/୨୦୨୬: ମୁଣ୍ଡାରୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରି ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ ଏବଂ ଓଡ଼ିଶାର ଦ୍ୱିତୀୟ ରାଜଭାଷା ଭାବେ ମାନ୍ୟତା ଦେବା ଦାବିରେ ବୁଧବାର କୁଳିଅଣା (ଚାନ୍ଦୁଆ) ବ୍ଲକସ୍ତରୀୟ ଏକ ବିଶାଳ ଜନସମାବେଶ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁଳିଅଣା (ଚାନ୍ଦୁଆ) ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ମୁଣ୍ଡାରୀ ଭାଷା ଭାରତର ଏକ ପ୍ରାଚୀନ ଆଦିବାସୀ ଭାଷା। ଭଗବାନ ବିରସା ମୁଣ୍ଡା ଏହି ଭାଷାଭାଷୀ ସମୁଦାୟର ଜଣେ ମହାନ ଜନନାୟକ ଥିଲେ। ତାଙ୍କ ଜନ୍ମଦିନକୁ ଭାରତ ସରକାର ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରୁଛନ୍ତି। ସେହିପରି, ଭାରତୀୟ ସମ୍ବିଧାନ ସଭାରେ ଜୟପାଲ ସିଂ ମୁଣ୍ଡାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ସେ ମଧ୍ୟ ଆଦିବାସୀ ସମାଜର ଜଣେ ପ୍ରମୁଖ ନେତା ଥିଲେ।
ଦେଶର ବିଭିନ୍ନ ଅଞ୍ଚଳରେ ବହୁ ସଂଖ୍ୟକ ଲୋକ ମୁଣ୍ଡାରୀ ଭାଷା କହୁଥିବା ସତ୍ତ୍ୱେ ଏହି ଭାଷା ଏଯାବତ୍ ସାମ୍ବିଧାନିକ ସ୍ୱୀକୃତିରୁ ବଞ୍ଚିତ ରହିଛି। ଏହାକୁ ନେଇ ମୁଣ୍ଡାରୀ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ତୁରନ୍ତ ସାମିଲ କରିବା ସହ ଓଡ଼ିଶାର ଦ୍ୱିତୀୟ ରାଜଭାଷା ଭାବେ ମାନ୍ୟତା ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଏହି ଅବସରରେ ଚାନ୍ଦୁଆସ୍ଥିତ ବିରସା ମୁଣ୍ଡା, ଜୟପାଲ ସିଂ ମୁଣ୍ଡା ଓ ଅଲ୍ ଗୁରୁ ପଣ୍ଡିତ ରୋହିଦାସ ସିଂ ନାଗଙ୍କ ପ୍ରତିମୂର୍ତ୍ତି ନିକଟସ୍ଥ ଖେଳପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରା ବାହାରି କୁଳିଅଣା (ଚାନ୍ଦୁଆ) ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରା ପୂର୍ବରୁ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ନିକଟରେ ମୁଣ୍ଡାରୀ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।
କୁଳିଅଣା ବ୍ଲକର ୧୭ଟି ଗ୍ରାମପଞ୍ଚାୟତରୁ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡାରୀ ଭାଷାଭାଷୀ ପୁରୁଷ ଓ ମହିଳା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଦୁଇ ଧାଡ଼ିରେ ଶୃଙ୍ଖଳିତ ଭାବେ ଆଗେଇ ଚାଲିଥିବା ଏହି ଶୋଭାଯାତ୍ରାରେ ମୁଣ୍ଡାରୀ ସଂସ୍କୃତିର ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ଆକର୍ଷଣୀୟ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା।
ଏହି ଶୋଭାଯାତ୍ରାରେ କୁଳିଅଣା ବ୍ଲକ ଅଧ୍ୟକ୍ଷା ଦୀପିକା ସିଂ, ଚାନ୍ଦୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରଦୀପ କୁମାର ସିଂ, ଶ୍ୟାମାଖୁଣ୍ଟା ବ୍ଲକ ୪୯ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ସିଂ, ମୁଣ୍ଡା ଶାସନ ଗୁଟଗାମ ଜିଲ୍ଲା ସଭାପତି ମନୋରଞ୍ଜନ ସିଂ, ମୁଣ୍ଡାରୀ ଭାଷା ସମନ୍ୱୟ ସମିତିର କୁଳିଅଣା ବ୍ଲକ ସଭାପତି ସତ୍ୟବାନ ସିଂ, ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାମେଶ୍ବର ସିଂ, ଅଜିତ କୁମାର ସିଂ, ବେତନଟୀ ବ୍ଲକ ଆବାହକ ତପନ ସିଂ, ବଡ଼ସାହି ବ୍ଲକ ଆବାହକ ବୈଦ୍ୟନାଥ ସିଂ, ସାରସକଣା ବ୍ଲକ ଆବାହକ କରମଚାନ୍ଦ ସିଂ, ଖୁଣ୍ଟା ବ୍ଲକ ଆବାହକ ରାଙ୍ଗା ସିଂ, ମୋରଡା ବ୍ଲକ ଆବାହକ ଦେବେନ୍ଦ୍ର ନାଥ ସିଂ, କୁଆଁରଡିହିର ମୁଣ୍ଡାରୀ ଶିକ୍ଷକ ପଣ୍ଡିତ ସିଂ, ଚାନ୍ଦୁଆର ମୁଣ୍ଡାରୀ ଶିକ୍ଷକ ବୁଧୁ ସିଂ, କଖାରୁଶୋଳର ମୁଣ୍ଡାରୀ ଶିକ୍ଷକ ସୁବୋଧ ଚନ୍ଦ୍ର ସିଂ, ଆମପୁଞ୍ଜାର ମୁଣ୍ଡାରୀ ଶିକ୍ଷକ ସତକୋଟି ଚାନ୍ଦ ସିଂ, ଓଡ଼ିଶା ମୁଣ୍ଡାରୀ ଛାତ୍ର ସଂଗଠନର ସଭାପତି ମଙ୍ଗଲ ସିଂ, ମୁଣ୍ଡା ଯୁବ ସଂଗଠନର ସଭାପତି ଧର୍ମପଦ ସିଂଙ୍କ ସମେତ ସମାଜସେବୀ ଦୁଲାଲୀ ସିଂ, ନବୀନ ସିଂ, ଶ୍ୟାମ ସୁନ୍ଦର ସିଂ ଓ ଆରାମ ପୋଲିସ ସିଂ ପ୍ରମୁଖ ନେତୃତ୍ୱ ନେଇଥିଲେ।
