ମାଁ ଗଡ଼ିଆଣି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ପେନାଲ୍ଟି ସୁଟ୍ଆଉଟ୍ରେ ଭରୁଆମୁଣ୍ଡାକୁ ହରାଇ ମହୁଲକୋଟ ଚାମ୍ପିଅନ୍
ସିନାପାଲି, ୧୨/୧୦ (ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କାପସି ମଣ୍ଡି ପଡ଼ିଆରେ ଦୁଇଦିନ ଧରି ଚାଲିଥିବା ମାଁ ଗଡ଼ିଆଣି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ ଉଦ୍ଯାପିତ ହୋଇଯାଇଛି। ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ମହୁଲକୋଟ ଦଳ ପେନାଲ୍ଟି ସୁଟ୍ଆଉଟ୍ରେ ତାଳପଦର ଭରୁଆମୁଣ୍ଡା ଦଳକୁ ୪-୨ ଗୋଲ୍ରେ ପରାସ୍ତ କରି ଚାମ୍ପିଅନ୍ ଟ୍ରଫି ହାସଲ କରିଛି। ଭରୁଆମୁଣ୍ଡା ଦଳ ଉପବିଜେତା ହୋଇଛି।
ଫାଇନାଲ୍ ମୁକାବିଲାରେ ଉଭୟ ଦଳର ଖେଳାଳି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିବା ସହ ବିଜୟ ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ। ମ୍ୟାଚ୍ର ରୋମାଞ୍ଚ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରିଦେଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳାଫଳ ନିର୍ଣ୍ଣୟ ହୋଇନପାରିବାରୁ ପେନାଲ୍ଟି ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ ମହୁଲକୋଟ ଦଳ ୪-୨ ଗୋଲ୍ରେ ବିଜୟୀ ହୋଇ ଚାମ୍ପିଅନ୍ ହେବାର ଗୌରବ ହାସଲ କରିଥିଲା। ବିଜୟ ପରେ ମହୁଲକୋଟ ଦଳର ଖେଳାଳି ଓ ସମର୍ଥକଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସର ପରିବେଶ ସୃଷ୍ଟି ହୋଇଥିଲା। ଏହି କ୍ରୀଡ଼ା ଉତ୍ସବରେ ଶ୍ରୀଯୁକ୍ତ ଆୟୁବ ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜୟ ଜଗନ୍ନାଥ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ସାଗର, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଝସ କେତନ ରଣା ଓ ସମାଜସେବୀ ଶ୍ରୀଯୁକ୍ତ ମଧୁସୂଦନ ଜଗତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ମ୍ୟାଚ୍ ପରିଚାଳନା ଦାୟିତ୍ୱରେ ଚନ୍ଦ୍ରଧ୍ୱଜ ମାଝୀ, ଅଜୟ ବାଗ, ଯଶୋବନ୍ତ ସା ଓ ବଳଭଦ୍ର ଚିନ୍ଦା ରହିଥିଲେ। ନରେଶ କୁମାର ମାଝୀ ମ୍ୟାଚ୍ର ଧାରାବିବରଣୀ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ ଲଳିତ, ମନୋଜ, ପିଙ୍କୁ, ଯୁଗେ, ଉମା, ତନ୍ମୟ, ଆତଙ୍କ, ଲାଲ, ଟୁନା, ଉଆସୁ, ହରେ, ଶିବୁ, ଫଲିନ୍ଦ୍ର, ମଧୁ, ବିଦ୍ୟା ଓ ରିଙ୍କୁଙ୍କ ସମେତ ଅନ୍ୟ ସହଯୋଗୀମାନେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ।
