ଢେଙ୍କାନାଳରେ ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ
ଢେଙ୍କାନାଳ ସଦର : ଢେଙ୍କାନାଳରେ ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଏକ ସଚେତନତା ଉତ୍ସବ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ଅବସରପ୍ରାପ୍ତ ସି.ବି.ଆଇ.ଜଜ୍ ଶ୍ରୀ ଭିକାରୀ ଚରଣ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ,ଶିଶୁମାନେ ରାଷ୍ଟ୍ରର ଶ୍ରେଷ୍ଠ ସମ୍ବଳ। ସେମାନଙ୍କ ପ୍ରତି ବିଶେଷ ଯତ୍ନବାନ ହେବା ଆମର ପ୍ରଥମ ଦାୟିତ୍ୱ। ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରି ଜ୍ଞାନ ଆଲୋକରେ ପ୍ରକାଶିତ କରିବା ଆମର କର୍ତ୍ତବ୍ୟ। ଶିଶୁମାନଙ୍କୁ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରିବା ସହ ବାଲ୍ୟ ବିବାହ ନିରୋଧ ପ୍ରତି ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ କହିଥିଲେ,ସମାଜରେ ପ୍ରତିଷ୍ଠା ଲାଭ ପାଇଁ ଶିକ୍ଷା ଓ ଜ୍ଞାନ ଆହରଣ ହିଁ ମୁଖ୍ୟ ଅସ୍ତ୍ର। ଅଭିଭାବକମାନେ ପୁଅ-ଝିଅ ମଧ୍ୟରେ ପାର୍ଥକ୍ୟ ନ ରଖି ସମାନ ଦୃଷ୍ଟିରେ ଗଢ଼ିବା ଉଚିତ୍। ଶିଶୁମାନଙ୍କୁ ଉଚିତ୍ ଶିକ୍ଷା ଓ ସୁଯୋଗ ଦେଲେ ସେମାନେ ଦେଶର ସାମୂହିକ ଉନ୍ନତିରେ ସହାୟକ ହେବେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ନିରଞ୍ଜନ ପାଢ଼ୀ,ଏ.ଏସ୍.ପି. (ଡି.ଆଇ.ବି.),ଶ୍ରୀ ଗଣେଶ୍ୱର ବେହେରା,ଡି.ଡି.(ପ୍ରୋସେକ୍ୟୁସନ) ଏବଂ ଶ୍ରୀ ଗୋଲକ ବିହାରୀ ପାଣିଗ୍ରାହୀ,ସି.ଡବ୍ଲୁ.ସି.ର ଚେୟାରପର୍ସନ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କର ନ୍ୟାର୍ଯ୍ୟ ଅଧିକାର,ସୁରକ୍ଷା,ବାଲ୍ୟ ବିବାହ ଜନିତ ସମସ୍ୟା ଓ ଏହାର ନିରାକରଣ ପାଇଁ ଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତାମାନେ ସହର ମଧ୍ୟରେ ଏକ ସଚେତନତା ଶୋଭାଯାତ୍ରା କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଇନ୍ଦୁରେଖା ପଶ୍ଚିମକବାଟ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଶେଷରେ ସଦର ଏସ୍.ଡି.ପି.ଓ.ଶ୍ରୀ ରମେଶ ଚନ୍ଦ୍ର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
