ଏୟାରଟେଲ୍ ଟାୱାରରୁ ଦାମୀ ଯନ୍ତ୍ରପାତି ଚୋରି; ଜଣେ କୋର୍ଟ ଚାଲାଣ
ବେଲଗୁଣ୍ଠା , ୮/୧୦: -(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡ଼ା ଶିବ ମନ୍ଦିର ନିକଟସ୍ଥ ଭାରତୀ ଏୟାରଟେଲ୍ ମୋବାଇଲ୍ ଟାୱାରରୁ ଦାମୀ ଯନ୍ତ୍ରପାତି ଚୋରି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଆସିକା କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ରାଧାନଗର ଗ୍ରାମର ଦେବାଶିଷ ମଲ୍ଲିକ (୩୮)।ସୂଚନା ପ୍ରକାରେ, ଗତ ଅଗଷ୍ଟ ମାସରେ କାଳିଆଗୁଡ଼ା ଟାୱାରରୁ ପ୍ରାୟ ୨୧୦୦୦୦ ଟଙ୍କା ମୂଲ୍ୟର ତିନୋଟି ଏୟାରଟେଲ୍ ଏଜେନା ଯନ୍ତ୍ର ଚୋରି ହୋଇଥିଲା। ଏନେଇ କମ୍ପାନୀ ପକ୍ଷରୁ ସେପ୍ଟେମ୍ବର ମାସରେ ଗାଙ୍ଗପୁର ଥାନାରେ ଅଭିଯୋଗ କରାଯିବା ପରେ ୪୦୯/୨୬ ନମ୍ବରରେ ମାମଲା ରୁଜୁ ହୋଇଥିଲା। ଆସାମୀଙ୍କ ସମ୍ପର୍କରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ. ଦୀପକ କୁମାର ମିଶ୍ର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗାଙ୍ଗପୁର ଥାନା ଏଏସ୍ଆଇ ବି.ୱାଇ. ନାଇଡୁଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଏସ୍ଆଇ ଶ୍ରୀ ନାଇଡୁ ସଦଳବଳେ ବେଲଗୁଣ୍ଠାସ୍ଥିତ ଏକ ୱାର୍କସପ୍ରେ ଚଢ଼ଉ କରି ଦେବାଶିଷଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଗୋଟିଏ ଏଜେନା ଯନ୍ତ୍ର ଜବତ କରିଥିଲେ। ଅନ୍ୟ ଦୁଇଟି ଯନ୍ତ୍ର ସେ ବିକ୍ରି କରିଦେଇଥିବା ପୁଲିସ ଜାଣିବାକୁ ପାଇଛି।
ଅଭିଯୁକ୍ତ ଦେବାଶିଷ ଗତ ତିନି ବର୍ଷ ଧରି ଭଞ୍ଜନଗର ଅଞ୍ଚଳରେ ଭାରତୀ ଏୟାରଟେଲ୍ର ଫିଲ୍ଡ ମେଣ୍ଟେନାନ୍ସ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଅଗଷ୍ଟ ମାସରେ କାଳିଆଗୁଡ଼ା ଟାୱାରରେ କାମ କରୁଥିବା ସମୟରେ ସେ ଯନ୍ତ୍ରପାତି ଚୋରି କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଏନେଇ ଏଏସଆଇ ବିୱାଇ ନାଇଡୁ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଗାଙ୍ଗପୁର ଅତିରିକ୍ତ ଭାରପ୍ରାପ୍ତ ଥାନା ଅଧିକାରୀ ଅଜୟ କୁମାର ନାୟକ ସୂଚନା ଦେଇଛନ୍ତି।
