*ନୂଆପଡ଼ାରେ ବାଦ୍ ପଡ଼ିଥିବା ଓ ନୂତନ ଯୋଗ୍ୟ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଦ୍ୱିତୀୟ ଦିନରେ ଜାରି**
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୦୮/୧୦:
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିବା ପରିପ୍ରେକ୍ଷୀରେ, ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ନୂଆପଡ଼ା ଜିଲ୍ଲାରେ ଚାଲିଥିବା ୩ ଦିନିଆ ସ୍ୱତନ୍ତ୍ର ଅଭିଯାନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଅଭିଯାନ ଆସନ୍ତା ୦୯ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ।
ଅଭିଯାନ ଅଧୀନରେ ବୁଥ୍ସ୍ତରୀୟ ଅଧିକାରୀ (BLO)ମାନେ ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରିବା ସହ ଭୋଟର ତାଲିକାରେ ନାମ ସାମିଲ ପାଇଁ ଆବଶ୍ୟକ ସହଯୋଗ ଓ ସଚେତନତା ପ୍ରଦାନ କରୁଛନ୍ତି। ବିଶେଷକରି ୧୮ ବର୍ଷ ବୟସ ପୂରଣ କରିଥିବା ନୂତନ ଯୁବ ଭୋଟରଙ୍କ ପଞ୍ଜୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି।
ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଯୋଗ୍ୟ ଭୋଟରମାନେ ନିଜ ଅଞ୍ଚଳରେ ନିୟୋଜିତ BLOଙ୍କ ସହ ଯୋଗାଯୋଗ କରି ଫର୍ମ-୬ ମାଧ୍ୟମରେ ଭୋଟର ତାଲିକାରେ ନାମ ସାମିଲ ପାଇଁ ଆବେଦନ କରିପାରିବେ। ଏଥିସହ ଅନଲାଇନ୍ ମାଧ୍ୟମରେ ମଧ୍ୟ ନୂତନ ଭୋଟର ଭାବେ ପଞ୍ଜୀକରଣ ପାଇଁ ଆବେଦନ କରିହେବ।
ଜିଲ୍ଲାର କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରେ ନାମ ପଞ୍ଜୀକରଣରୁ ବଞ୍ଚିତ ନ ହୁଅନ୍ତି ଏବଂ ସମସ୍ତ ଯୋଗ୍ୟ ନାଗରିକ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିପାରନ୍ତି, ତାହା ନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଅଭିଯାନର ଆଉ ଗୋଟିଏ ଦିନ ବାକି ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯୋଗ୍ୟ ନାଗରିକ, ବିଶେଷକରି ନୂତନ ଯୁବ ଭୋଟରମାନଙ୍କୁ ଏହି ସୁଯୋଗର ସଦୁପଯୋଗ କରି ୦୯ ଅକ୍ଟୋବର ମଧ୍ୟରେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରାଇବାକୁ ଅନୁରୋଧ କରାଯାଇଛି।
