- ମୟୂରଭଞ୍ଜରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ୩ ଦିନିଆ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଉଦଯାପିତ
*ବାରିପଦା, ୦୭/୧୦:* ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଚାଲିଥିବା ୩ ଦିନିଆ ଜିଲ୍ଲାସ୍ତରୀୟ ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଆଜି ବାରିପଦାରେ ଉଦଯାପିତ ହୋଇଛି।
ଜିଲ୍ଲା ସଭାପତି *କୃଷ୍ଣ ଚନ୍ଦ୍ର ଦାସଙ୍କ* ନେତୃତ୍ୱରେ ଦଳର କର୍ମକର୍ତ୍ତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ *ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାଏକଙ୍କ* ମାଧ୍ୟମରେ ଏକ ୫ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି।
ଏହା ସହିତ ବାରିପଦା ପୌର ପରିଷଦର ନିର୍ବାହୀ ଅଧିକାରୀ ଓ ବାରିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି।
ଦଳ ପକ୍ଷରୁ କୁହାଯାଇଛି ଯେ, ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ରାସ୍ତା, ପୋଲ, ବନ୍ଧ, ସ୍କୁଲ-କଲେଜ, ସରକାରୀ କାର୍ଯ୍ୟାଳୟ, ଚାଷ ଜମି, ଘରବାଡି ଏବଂ ଧନଜୀବନର ବ୍ୟାପକ କ୍ଷତି ହୋଇଛି।
*ଝାମୁମୋର ୫ ଦଫା ଦାବୀ:*
*୧.* ବର୍ଷା ଜନିତ କ୍ଷୟକ୍ଷତିର ସଠିକ ଆକଳନ କରି ମୋରଡ଼ା ବ୍ଲକ ତଥା ମୟୂରଭଞ୍ଜ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ରାଶି ଘୋଷଣା।
*୨.* ସମସ୍ତ ହିତାଧିକାରୀଙ୍କୁ ଶୀଘ୍ର ଭତ୍ତା ପ୍ରଦାନ।
*୩.* MMDR ବିଲ୍ ପ୍ରତ୍ୟାହାର।
*୪.* ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାୟିତ୍ୱମୁକ୍ତ।
*୫.* ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା।
ଏହି ଦାବୀ ପୂରଣ ନ ହେଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ବ୍ୟାପକ ଆନ୍ଦୋଳନ କରିବ ବୋଲି ଦଳ ପକ୍ଷରୁ ଚରମବାଣୀ ସହ ଚେତାବନୀ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ଦାସ, ସହର ସଭାପତି ତରେନ ସେନାପତି, ରାଜ୍ୟ ପରିଷଦ ସଭ୍ୟ ସୁଜିତ ବେହେରା, ବାରିପଦା ବ୍ଲକ ସମ୍ପାଦକ ବବଲୁ ସିଂ, ଅଭିଷେକ ଦଣ୍ଡପାଟ, ବୁଦ୍ଧିଆ ମୁର୍ମୁ, ମେଘରାୟ ସୋରେନ, ରାମେଶ୍ୱର ଲୋହାରୀ, ପ୍ରେମ ସିଂ, ସୌମ୍ୟରଞ୍ଜନ ଅଗସ୍ତି, ବିଷୁ ରାୟ, ଡମାନ ହେମ୍ବ୍ରମ, ପ୍ରଦୀପ ସିଂ, ଶଙ୍କର ସିଂ ପ୍ରମୁଖ ବହୁ ଯୁବ-ଛାତ୍ର କର୍ମକର୍ତ୍ତା ସାମିଲ ହୋଇଥିଲେ।
