ବିଂଝାରପୁର (ସ୍ମୃତିରେଖା ମଲ୍ଲିକ) : ଜେନାପୁର ଠାରେ ବନ୍ୟା ଜଳ ସ୍ଥିର। ଖରସ୍ରୋତା, ତନ୍ତୀ ଘାଇ, କାଣୀ ନଦୀରେ ବଡ ବନ୍ୟା ଆଶଙ୍କା କ୍ଷୀଣ। ତେବେ ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ସକଳ ପ୍ରସ୍ତୁତି ହୋଇଛି। ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ନଦୀ ବନ୍ଧ ରେ ବିଭାଗ ପକ୍ଷରୁ ପଇଁତରା ଦିଆଯାଉଛି ।
ସମସ୍ତ କର୍ମଚାରୀ ସଜାଗ ଓ ସତର୍କ ରହିଛନ୍ତି ବୋଲି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ କହିବା ସହ ନଦୀ କୂଳିଆ ଓ ସାଧାରଣ ଜନତା ବନ୍ୟା ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି ଦୃଢ଼ତା ସହ ପ୍ରକାଶ କରିଛନ୍ତି।
ଆଜି ମୁଖ୍ୟ ଯନ୍ତ୍ରୀ ବିଘ୍ନେଶ୍ୱର ପୁରୋହିତ, ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳେଇ,ଏସ ଡି ଓ ଚୈତନ୍ୟ ଜେନା କନିଷ୍ଠ ଯନ୍ତ୍ରୀ ତପସ୍ୱିନୀ ସାହୁ, ଓ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ସହ ଖରସ୍ରୋତା, ବ୍ରାହ୍ମଣୀ ନଦୀର ଜଳ ପ୍ରବାହ, ସାମ୍ପ୍ରତିକ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ । ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଦଳେଇ ଓ ବିଞ୍ଝାରପୁର ଏସଡିଓ ଶ୍ରୀ ଜେନା ଙ୍କୁ ବନ୍ୟା ମୁକାବିଲା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭନ୍ନ ବ୍ୟବସ୍ଥା ଓ ପ୍ରସ୍ତୁତି ସଂପର୍କରେ ଟିକିନିଖି ପଚାରି ବୁଝିଥିଲେ। ବିଭାଗ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସହଯୋଗ ସୂଚନା ମିଳୁଛି କି ନାହି ମୁଖ୍ୟଯନ୍ତ୍ରୀ ଶ୍ରୀ ପୁରୋହିତ ପଚାରିଥିଲେ । ତେବେ ଗଣ ମାଧ୍ୟମରେ ବନ୍ୟା ଖବର ବଢାଇ ଚଢାଇ ନ ଲେଖିଲେ ମଙ୍ଗଳ ବୋଲି ପରାମର୍ଶ ଦେଇଥିଲେ। ନୁଆମାହରା ହାଇ ଲେଵୁଲ ସେତୁ ଉପରେ ଖରସ୍ରୋତା ନଦୀର ସ୍ଥିତି ଅନୁଧ୍ୟାନ କରିଥିଲେ ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ |
