ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ଜାଲ ଦସ୍ତଖତରେ ସୁପାରିଶ
ଚମ୍ପେଇପାଳ ପଞ୍ଚାୟତରେ ଦୁର୍ନୀତି, ଦସ୍ତଖତ ଜାଲିଆତି ଅଭିଯୋଗ
ପିଇଓଙ୍କ ବଦଳି,ଫୌଜଦାରୀ ମାମଲା ପରିବର୍ତ୍ତେ ପ୍ରଶାସନର ରଫା ଦଫା ଉଦ୍ୟମ
ଯାଜପୁର ୧୬/୭ (ସରୋଜ କୁମାର ଧଳ): ଚମ୍ପେଇପାଳ ପଞ୍ଚାୟତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦୁର୍ନୀତି ଓ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ସୁପାରିଶ ପତ୍ରରେ
ଦସ୍ତଖତ ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।ଜାଲ ଦସ୍ତଖତ ନୁହଁ ସୁପାରିଶ ପତ୍ରରେ ସରକାରୀ ଲେଟର ପ୍ୟାଡ୍ ଓ ମୋହର ମଧ୍ଯ ଅସଲି ନୁହଁ। କାହା ବଳରେ ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ଏତେ ବଡ଼ ଦୁଃସାହସ କଲେ, ତଦନ୍ତ ହେଲେ ଜଣାପଡ଼ିବ । ଏଭଳି ସାଙ୍ଘାତିକ ଅଭିଯୋଗ ଦୃଷ୍ଟିକୁ ଆସିବା ପରେ ପ୍ରଶାସନ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟ ପଞ୍ଚାୟତକୁ ବଦଳି କରି ମାମଲାକୁ ରଫାଦଫା କରିବା ପାଇଁ ମସୁଧା ଚଳାଇଛନ୍ତି। ଫୌଜଦାରୀ ମାମଲା ରୁଜ୍ଜୁ କରିବା ପରିବର୍ତ୍ତେ ବ୍ଲକ୍ ଓ ତହସିଲ ପ୍ରଶାସନ ଅସାଧୁ ବ୍ୟକ୍ତିଙ୍କୁ ଘଣ୍ଟ ଘୋଡାଇବାକୁ ପ୍ରୟାସ କରୁଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଚମ୍ପେଇ ପାଳ ପଞ୍ଚାୟତରେ ବୃକ୍ଷରୋପଣ ପାଇଁ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ଦସ୍ତଖତ ଜାଲିଆତି କରାଯାଇଛି। ସରକାରୀ ଲେଟର ପ୍ୟାଡ୍ ଓ ମୋହର ( ସିଲ୍) ମଧ୍ୟ ନକଲି ବୋଲି ଅଭିଯୋଗ କରିଛନ୍ତି ସଞ୍ଜୟ କୁମାର ସାହୁ, କାର୍ତ୍ତିକ ଦାସ, ଅଶୋକ କୁମାର ଜେନା, ଅଜୟ କୁମାର ମଲ୍ଲିକ ଓ ଅନ୍ୟ ଗ୍ରାମବାସୀ । ପଞ୍ଚାୟତରେ ନିର୍ମାଣ ହୋଇଥିବା କମ୍ୟୁନିଟି ସେଣ୍ଟର୍ ର ଜମି ଜମା କିସମ ପରିବର୍ତ୍ତନରେ ଜାଲ ନଥିପତ୍ର, ମହାତ୍ମା ଗାନ୍ଧି ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ରେ ଜାଲିଆତି, କଂକ୍ରିଟ ରାସ୍ତା ଗୁଡ଼ିକ ବ୍ୟକ୍ତିଗତ ଜାଗାରେ କରାଯାଇଛି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ସେହିପରି ବ୍ୟକ୍ତିଗତ ଜାଗାରେ ୧୨ ଟି ନଳକୂପ ବସାଯାଇ ବିଲ୍ କରିବା, କୁଆଁରପୁର ମୌଜାର ନାଳପଶି ଗ୍ରାମ ରାସ୍ତା ରୁ ଶ୍ମଶାନ ପଡ଼ିଆ ପର୍ଯ୍ୟନ୍ତ ବୃକ୍ଷରୋପଣ ରେ ଜାଲ ନଥିପତ୍ର ବ୍ଯବହାର କରି ବିଲ୍ କରିବା ବେନିୟମ। ପଞ୍ଚାୟତର ୧୮ ଟି ୱାର୍ଡ ରେ ପତି ଓ ପତ୍ନୀଙ୍କୁ ଗ୍ରାମ ସାଥୀ ରଖାଯିବାକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଗ୍ରାମବାସୀ। ଅଭିଯୋଗ ସଂପର୍କରେ ରାଜସ୍ୱ ନିରୀକ୍ଷକ ଅମୀୟ ରାୟ କୁହନ୍ତି ଯେ ସୁପାରିଶ ପତ୍ରରେ ଥିବା ଦସ୍ତଖତ ତାଙ୍କର ନୁହଁ। ତହସିଲଦାର ଶୁଭ୍ରାଂଶୁ ସାହୁ କୁହନ୍ତି ଯେ ଏଭଳି ଅଭିଯୋଗ ତାଙ୍କ ଦୃଷ୍ଟିକୁ ଆସିଛି। ବିଡିଓଙ୍କ ସହ ଆଲୋଚନା କରିଛି। ଯାହା ଆଇନତ ତାହା କରାଯିବ ବୋଲି କହିଛନ୍ତି । ସରପଞ୍ଚ ହିମାଂଶୁ ଶେଖର ନାୟକ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା , ଏଭଳି କିଛି ଜାଲିଆତି ହୋଇନି କହି ବାଏଁ ବାଏଁ କରି ଉଡ଼ାଇ ଦେଇଛନ୍ତି । ତେବେ ପ୍ରଶାସନକୁ ମିଳିଥିବା ସୁପାରିଶ ପତ୍ରରେ ସରକାରୀ ଅଧିକାରୀ ଙ୍କ ଦସ୍ତଖତ, ଲେଟର ପ୍ୟାଡ୍, ମୋହର (ସିଲ୍) ଯାଞ୍ଚ ଓ ହୋଇଥିବା କାର୍ଯ୍ୟ ଗୁଡ଼ିକର ତଦନ୍ତ କରାଗଲେ ସତ ମିଛ ଜଣାପଡ଼ିବ।
(ତହସିଲଦାର, ରାଜସ୍ୱ ନିରୀକ୍ଷକ ଙ୍କ ଦସ୍ତଖତ ସମ୍ବଳିତ ସୁପାରିଶ ପତ୍ର ଓ ଗ୍ରାମ ବାସୀଙ୍କ ଅଭିଯୋଗ ପତ୍ର)
