ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ
ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ସହ କ୍ଷେତ୍ର ପରିଦର୍ଶନ
ଭବାନୀପାଟଣା (କିଶନ ଶର୍ମା) ୫.୧୦.୨୬:ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା। ଜିଲ୍ଲାରେ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲା ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ। ବୈଠକରେ ଜିଲ୍ଲାରେ ମୃତ୍ତିକା ଓ ଜଳ ସଂରକ୍ଷଣ ସହିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା।ସମୀକ୍ଷା ପରେ ଶ୍ରୀ ପଣ୍ଡା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ଜଳଧାରା ଯୋଜନା ମାଧ୍ୟମରେ ନିର୍ମିତ କ୍ଷେତ ପୋଖରୀଗୁଡ଼ିକର କାର୍ଯ୍ୟକାରିତା ବୁଲି ଦେଖିବା ସହ ଏହାର ଉପଯୋଗିତା ସମ୍ପର୍କରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ପୋଖରୀ ହୁଡ଼ାରେ ପଇଡ ଚାରା ରୋପଣ କରିଥିଲେ।ଏହି ଅବସରରେ ସ୍ଥାନୀୟ ଚାଷୀ ଅନନ୍ତ ବେହେରା ଓ ଲଳିତ ବେହେରାଙ୍କୁ ସମନ୍ୱିତ କୃଷି ପଦ୍ଧତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ବିସ୍ତୃତ ଭାବେ ବୁଝାଇଥିଲେ। କୃଷି ସହ ଜଳ ଓ ମୃତ୍ତିକା ସଂରକ୍ଷଣକୁ ଯୋଡ଼ି ଚାଷୀମାନଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଗସ୍ତର ଦ୍ୱିତୀୟ ଦିନରେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଥୁଆମୂଳ ରାମପୁର ବ୍ଲକର କାଣୀଗୁଣା ଓ ଡୁଡୁକାଗୁଡ଼ା ଗାଁ ପରିଦର୍ଶନ କରିଥିଲେ। ଏଠାରେ କାର୍ଯ୍ୟକାରୀ ହୋଇଥିବା କଫି ବଗିଚା ପରିଦର୍ଶନ କରିବା ସହ କଫି ଚାଷର ଅଗ୍ରଗତି ଓ ଚାଷୀମାନଙ୍କ ଲାଭ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ପରେ ଜୟପାଟଣା ବ୍ଲକରେ ପହଞ୍ଚି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଅଧୀନରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ପ୍ରକଳ୍ପଗୁଡ଼ିକର ସ୍ଥିତି, ଚାଷୀମାନଙ୍କୁ ମିଳୁଥିବା ସୁବିଧା ଓ ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ଅଧିକାରୀଙ୍କଠାରୁ ସୂଚନା ନେଇଥିଲେ।
ମୃତ୍ତିକା ଓ ଜଳ ସଂରକ୍ଷଣ ସହ ଆଧୁନିକ ଓ ସମନ୍ୱିତ କୃଷି ପଦ୍ଧତି ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ଏବଂ ଜଳସେଚନ ସୁବିଧାକୁ ଅଧିକ ସୁଦୃଢ଼ କରିବା ଉପରେ ଏହି ଗସ୍ତ ସମୟରେ ଗୁରୁତ୍ୱ ଦିଆଯାଇଥିଲା।
