ଜିଲ୍ଲାରେ ହାତୀ ଉପଦ୍ରବ ନିତିଦିନିଆ ହେଲାଣି ଧନଜୀବନ ହାନି।
ଢେଙ୍କାନାଳ ସଦର : ଜିଲ୍ଲାରେ ହାତୀ ଉପଦ୍ରବ ଚିନ୍ତାର କାରଣ ପାଲଟିଛି। ହାତୀ ପାଇଁ ନିୟମିତ ଧନଜୀବନ ହାନି ଘଟୁଛି। ହାତୀ ଆତଙ୍କ ଯୋଗୁଁ ସନ୍ଧ୍ୟା ପରେ ବିଭିନ୍ନ ଅଞ୍ଚଳରେ ଲୋକେ ରାସ୍ତାରେ ଯାତାୟାତ କରିବାକୁ ଭୟ କରୁଛନ୍ତି। ବନବିଭାଗ ପକ୍ଷରୁ କୌଣସି ତତ୍ପରତା ନଥିବା ମତପ୍ରକାଶ ପାଇଛି। ଜିଲାର ସମସ୍ତ ୮ଟି ବ୍ଲକରେ ହାତୀ ଉପଦ୍ରବ ଲାଗିଥିବା ବେଳେ ଭୁବନ,ପରଜଙ୍ଗ,ଗଁଦିଆ,ଷଢ଼ଙ୍ଗୀ,ନିହଲପ୍ରସାଦ,କପିଳାସ,ହିନ୍ଦୋଳ,ଓଡାପଡା ଅଞ୍ଚଳରେ ହାତୀ ଯୋଗୁଁ ବର୍ଷ ତମାମ ଲୋକେ ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି। ହାତୀ ଭୟରେ ଦିନରେ ବି ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ଓ ଉପଦ୍ରୁତ ଅଞ୍ଚଳରେ ଯାତାୟତ କରୁଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲାରେ ହାତୀ-ମଣିଷ ଲଢେଇ ନିତିଦିନିଆ ଘଟଣା ହେଲାଣି,କେତେବେଳେ ହାତୀର ମୃତ୍ୟୁ ହଉଛି ତ କେତେବେଳେ ମଣିଷର । ହିନ୍ଦୋଳ,ଭୁବନ,କପିଳାସ,ଓଡାପଡା,କାମାକ୍ଷାନଗର,ପର୍ଜଙ୍ଗ ଅଞ୍ଚଳରେ ମଧ୍ୟ ହାତୀ ଉପଦ୍ରବ କରୁଥିବା ଜଣାପଡ଼ିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଧାନ ଫସଲ ନଷ୍ଟ କରିବା,ଘର ପାଚେରୀ ଭାଙ୍ଗି ଘରେ ପଶି ଧାନ ଚାଉଳ ଖାଇବା ସହ ଭଙ୍ଗାରୁଜା କରିଥିବା ଜଣା ପଡ଼ିଛି। ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖୁଥିଲେ ମଧ୍ୟ ହାତୀ ହାବୁଡ଼ରୁ ମଣିଷକୁ ସୁରକ୍ଷା ଦେବାରେ ବିଫଳ ହେଉଥିବା ଦେଖାଯାଇଛି। ହାତୀ ପଲ ଫସଲ ନଷ୍ଟ କରୁଥିବା ବେଳେ ଦଳରୁ ବାହାରି ଗୋଟିକିଆ ବୁଲୁଥିବା ଦନ୍ତାହାତୀ ମଣିଷ ଜୀବନ ପ୍ରତି ବିପଦ ସାବ୍ୟସ୍ତ ହେଉଛନ୍ତି। ବିଭିନ୍ନ ସମୟରେ ହାତୀକୁ ଘଉଡାଇବାକୁ ଯାଇ ଲୋକମାନେ ବାଣ ଆଦି ଫୁଟାଇବା ସହ ହୋ ହଲ୍ଲା କରିବା ଦ୍ବାରା ହାତୀ ଅଧିକ ଉଗ୍ର ହେବା ସହ ଗୋଟିଏ ଜାଗାରୁ ଅନ୍ୟତ୍ର ଯାଇ ଆତଙ୍କ ମଚାଉଥିବା ବନକର୍ମଚାରୀ ପ୍ରକାଶ କରିଛନ୍ତି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
