*ଅନେକ ଦିନରୁ ବିଦ୍ୟୁତ୍ ବିଚ୍ଛିନ୍ନ: ରଜନା ଓ ଧୋର୍ଲାମୁଣ୍ଡା ଗ୍ରାମବାସୀଙ୍କ ଦ୍ୱାରା କୋମନା ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ*
ନୂଆପଡା(ମିଖାଏଲ ନନ୍ଦ)
୨୮ସେପ୍ଟେମ୍ବର:
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ରଜନା ଓ ଧୋର୍ଲାମୁଣ୍ଡା ପଞ୍ଚାୟତରେ ଦୀର୍ଘ ଦିନ ଧରି ବିଦ୍ୟୁତ୍ ସେବା ଠପ୍ ହୋଇପଡ଼ିଥିବାରୁ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ଦାବିରେ ଆଜି ଉଭୟ ପଞ୍ଚାୟତର ଶତାଧିକ ଗ୍ରାମବାସୀ କୋମନାସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ରଜନା ଓ ଧୋର୍ଲାମୁଣ୍ଡା ପଞ୍ଚାୟତର ଗ୍ରାମଗୁଡ଼ିକ ବଣ ଜଙ୍ଗଲ ଘେରା ଅଞ୍ଚଳରେ ରହିଛି। ଅନେକ ଦିନ ଧରି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇ ପଡ଼ିରହିଥିବାରୁ ଅନ୍ଧାର ମଧ୍ୟରେ ଲୋକେ ବିଷଧର ସାପ ଓ ବନ୍ୟଜନ୍ତୁଙ୍କ ଭୟରେ ଜୀବନ ବିତାଉଛନ୍ତି। ଏଥିସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ନିତ୍ୟଦିନିଆ କାମଧନ୍ଦା ଗୁରୁତର ଭାବେ ପ୍ରଭାବିତ ହେଉଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।
ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ୍ ବିଭାଗ କୌଣସି କର୍ଣ୍ଣପାତ ନ କରିବାରୁ ନିରାଶ ହୋଇ ଗ୍ରାମବାସୀ ଆଜି ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ତୁରନ୍ତ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରା ନ ଗଲେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
