ଅଙ୍ଗନୱାଡ଼ି ଅଛି, ହେଲେ ନାହିଁ ସ୍କୁଲ!
ଦୁର୍ଗମ ରାସ୍ତା ଡେଇଁ ଶିକ୍ଷା ପାଇଁ ଯିବାକୁ ବାଧ୍ୟ ଛାତ୍ରଛାତ୍ରୀ
ବାଲିଗୁଡ଼ା, (ନି.ପ୍ର )୨୮/୯ :
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ରେବୀଙ୍ଗିଆ ପଞ୍ଚାୟତର ସାତାମାସ୍କା ଗ୍ରାମ। ଗ୍ରାମରେ ଛୋଟ ପିଲାଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ନାହିଁ ଏକ ପ୍ରାଥମିକ ବିଦ୍ୟାଳୟ। ଫଳରେ ଗ୍ରାମର ଶିଶୁମାନଙ୍କ ଶିକ୍ଷା ପାଇଁ ଅନ୍ୟ ଅଞ୍ଚଳକୁ ଯିବାକୁ ପଡ଼ୁଛି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଗ୍ରାମକୁ ଯୋଡ଼ିଥିବା ରାସ୍ତାର ଅବସ୍ଥା। ରାସ୍ତା ସାରା ପଥର, ମାଟି ଓ ଖାଲଖମାରେ ଭରି ରହିଛି। ବର୍ଷା ହେଲେ ଏହି ରାସ୍ତାରେ ଯାତାୟାତ କରିବା ଆହୁରି ଦୁର୍ହର ହୋଇପଡ଼ୁଛି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ପ୍ରତିଦିନ ଶିକ୍ଷା ପାଇଁ ଦୂର ଅଞ୍ଚଳକୁ ଯିବାକୁ ପଡ଼ିବା, ଅଭିଭାବକଙ୍କ ଚିନ୍ତା ବଢ଼ାଇଛି।
ଗୋଟିଏ ପଟେ ଗ୍ରାମରେ ବିଦ୍ୟାଳୟ ନାହିଁ, ଅନ୍ୟପଟେ ଶିକ୍ଷା ପାଇଁ ଯିବାର ରାସ୍ତା ମଧ୍ୟ ଦୟନୀୟ। ଏହା କେବଳ ଏକ ରାସ୍ତା ସମସ୍ୟା ନୁହେଁ, ଏହା ଗ୍ରାମର ପିଲାମାନଙ୍କ ଶିକ୍ଷା ଓ ଭବିଷ୍ୟତ ସହ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ।
ସାତାମାସ୍କା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ଏବଂ ରାସ୍ତାର ତୁରନ୍ତ ଉନ୍ନତି ପାଇଁ ଗ୍ରାମବାସୀ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା କାର୍ଯ୍ୟ କରି ପ୍ରଶାସନ କେବେ କରୁଛି।
