୨୩ରେ ଗଞ୍ଜାମର ସମସ୍ତ କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ
ଛତ୍ରପୁର, ୨୨/୦୯: ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା, ଜଳବନ୍ଦୀ ପରିସ୍ଥିତି ଓ ଯାତାୟାତରେ ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟର ଅଧୀନସ୍ଥ ବିଭାଗଗୁଡ଼ିକୁ ୨୩ ସେପ୍ଟେମ୍ବର ୨୦୨୬ ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଗଞ୍ଜାମଙ୍କ ପକ୍ଷରୁ ଆଦେଶ ଜାରି କରାଯାଇଛି।
ଦୁର୍ବିପାକ ପରିଚାଳନା ଆଇନ, ୨୦୦୫ର ଧାରା ୩୪ ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଏହି ଆଦେଶ ଜାରି ହୋଇଛି। ସମ୍ପୃକ୍ତ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଆଦେଶର ନିଷ୍ଠାପୂର୍ବକ ପାଳନ ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ଆବଶ୍ୟକ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବେ।
ଏହି ଆଦେଶ ତତ୍କାଳ କାର୍ଯ୍ୟକାରୀ ହୋଇଛି।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଗଞ୍ଜାମ
