ବିଶ୍ୱ ଗୋଲାପ ଦିବସ ଅବସରରେ
ଦୁଃଖ ଓ ଯନ୍ତ୍ରଣା ସତ୍ତ୍ବେ ସଂଘର୍ଷ ଜାରି ରଖିଛନ୍ତି ଏବଂ କର୍କଟ ରୋଗୀଙ୍କ ମୁହଁରେ ହସ ଫୁଟାଇ ବଞ୍ଚିବା ପାଇଁ ପ୍ରେରଣା ଯୋଗାଉଛନ୍ତି ଡ. ଦେବାନନ୍ଦ
ବ୍ରହ୍ମପୁର (୨୧/୦୯/୨୦୨୬): ପ୍ରତିବର୍ଷ ସେପ୍ଟେମ୍ବର ୨୨ ତାରିଖକୁ ‘ବିଶ୍ୱ ଗୋଲାପ ଦିବସ’ (World Rose Day) ଭାବରେ ପାଳନ କରାଯାଏ।
କର୍କଟ ରୋଗୀଙ୍କ ମନରେ ସକାରାତ୍ମକ ଭାବନା ସୃଷ୍ଟି କରିବା ପାଇଁ ସାରା ବିଶ୍ୱରେ ସେପ୍ଟେମ୍ବର ୨୨ ତାରିଖକୁ ‘ଗୋଲାପ ଦିବସ’ ଭାବରେ ପାଳନ କରାଯାଏ।ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ଭଲପାଇବା, ସ୍ନେହ ଏବଂ ନୂତନ ଆଶାର ସଞ୍ଚାର କରିବା।
ବାସ୍ତବରେ, କାନାଡାର ମେଲିଣ୍ଡା ରୋଜ୍ ନାମ୍ନୀ ଜଣେ ବାଳିକାଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ କରାଯାଏ।ମେଲିଣ୍ଡା ଙ୍କ ଅସାଧାରଣ କାର୍ଯ୍ୟ ସମାଜକୁ ଏକ ନୂତନ ବାର୍ତ୍ତା ଦେଇଥିଲା।
ଏହି ପରିପେକ୍ଷୀରେ ବ୍ରହ୍ମପୁର ର କର୍କଟ ଯୋଦ୍ଧା ଡ ଦେବାନନ୍ଦ ଦାଶ ନିଜର ଦୁଃଖ ଓ ଯନ୍ତ୍ରଣା କୁ ପଛରେ ପକାଇ ସ୍ଥାନିୟ ଏମ୍ କେ ସି ଜି ହସ୍ପିଟାଲ୍ ର କ୍ୟାନ୍ସର ୱାର୍ଡରେ ବିଶ୍ଵ ଗୋଲାପ ଦିବସ ରୋଗୀ ମାନଙ୍କ ଗହଣରେ ମହା ଉତ୍ସାହରେ ପାଳନ କରିଛନ୍ତି। ମେଲିଣ୍ଡା ରୋଜ୍ ଙ୍କ ଭଳି ଡ ଦେବାନନ୍ଦ ଆତ୍ମ ବିଶ୍ବାସ ଓ ଦୃଢ଼ ସଂକଳ୍ପ ର ବାର୍ତ୍ତା ପ୍ରତ୍ୟେକ କର୍କଟ ରୋଗୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଅହରହ ଚେଷ୍ଟା କରୁଛନ୍ତି।
କର୍କଟ ଯୋଦ୍ଧା ଡ ଦେବାନନ୍ଦ ଗତ ୧୧ ବର୍ଷ ଧରି କର୍କଟ ରୋଗ ସହ ଲଢ଼ୁଛନ୍ତି। ଶାରୀରିକ ଯନ୍ତ୍ରଣା ସତ୍ତ୍ୱେ, ସେ ଗତ ନଅ ବର୍ଷ ଧରି ଗଞ୍ଜାମ ଜିଲ୍ଲାର ବିଭିନ୍ନ କର୍କଟ ରୋଗୀଙ୍କୁ ଭେଟି ସେମାନଙ୍କର ମାନସିକ ଓ ଶାରୀରିକ ଶକ୍ତି ବୃଦ୍ଧି କରିବା ସହ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇ ଆସୁଛନ୍ତି। ବିଶ୍ୱ ଗୋଲାପ ଦିବସ ଅବସରରେ ଡ ଦାଶ କର୍କଟ ରୋଗୀ ଓ ସେମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ, କାର୍ଡ ଏବଂ ଉପହାର ପ୍ରଦାନ କରନ୍ତି; ଏହି କଠିନ ଯାତ୍ରାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି କର୍କଟ ରୋଗ ଏକ ସଂକ୍ରାମକ ରୋଗ ନୁହେଁ, ତେଣୁ କେହି ମଧ୍ୟ କର୍କଟ ରୋଗୀଙ୍କୁ ଘୃଣା କରିବା ଉଚିତ୍ ନୁହେଁ।
ଆଜି ଏମ୍ କେ ସି ଜି ହସ୍ପିଟାଲ୍ କ୍ୟାନ୍ସର ୱାର୍ଡରେ ୫୦ ଜଣ କର୍କଟ ରୋଗୀଙ୍କୁ ଗୋଲାପ ଫୁଲ,ବସ୍ତ୍ର, ଓ ଫଳସହ ଏନର୍ଜି ଡ୍ରିଙ୍କ ଦେଇ ସେମାନଙ୍କର ମନୋବଳକୁ ଦୃଢ କରିବା ସହ ତାଙ୍କରି ମୁହଁରେ ହସ ଟିକକ ଫୁଟାଇବା ପାଇଁ ଡ ଦାଶ ପ୍ରୟାସ କରିଥିଲେ।
ଏହି କାର୍ଯ୍ୟକ୍ରମରେ କର୍କଟ ବିଜୟିନୀ ସରିତା ଶତପଥୀ, ଆଇ ଏସ ଆର ଡି ନିର୍ଦ୍ଦେଶକ ସୁଧୀର ସାବତ, ବସନ୍ତ କୁମାର ଶତପଥୀ, କ୍ରାନ୍ତି ଅନୁଷ୍ଠାନର ଚିନ୍ମୟାନନ୍ଦ ଦାଶ, ବିଜ୍ଞାନ ଚନ୍ଦ୍ର ମହାରଣା,- ୱାନ ଷ୍ଟପ୍ ସେଣ୍ଟର୍(ସଖୀ) ଆସ୍କିଲା ରାଇକା, ମଧୁସ୍ମିତା ମଲ୍ଲିକ ,- ଶକ୍ତି ସଦନର ,ଲେୟା ପ୍ରଧାନ, ରାମକୃଷ୍ଣ ମହାପାତ୍ର ଓ ବଳରାମ ମଲ୍ଲିକ – ଆଇ,ଏସ୍,ଆର୍,ଡି ଓ କ୍ୟାନସର ବିଭାଗର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀ ରହି କର୍କଟ ରୋଗୀଙ୍କୁ ଉତ୍ସାହ ଦେବା ସହ ସହଯୋଗର ହାତ ବଢାଇଥିଲେ। ସମାଜସେବୀ ନିରଞ୍ଜନ ବେହେରା, ଯୁବ ବ୍ୟବସାୟୀ ସମୀର ମିଶ୍ର,ସମାଜସେବୀ କେ. ରାଜା ସେନାପତି,ସମାଜସେବୀ ଲୋକନାଥ ମିଶ୍ର, ଶକ୍ତି ଦାଶ ଓ ରାଜେନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି ଗୋଲାପ ଦିବସ ସଫଳ ହୋଇ ପାରିଛି।
ଶେଷରେ ଡ ଦାଶ ନିବେଦନ କରିଛନ୍ତି ଲୋକମାନେ ରୋଗୀମାନଙ୍କୁ ସହଯୋଗ କରିବା ଏବଂ ସେମାନଙ୍କ ମନୋବଳ ଦୃଢ଼ କରିବା ଉଚିତ୍।ଯଦି କେହି ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି, ତେବେ ସେମାନେ ତୁରନ୍ତ ଚିକିତ୍ସା କରାଇବା ଆବଶ୍ୟକ।
ଯଦି ବିଶ୍ୱର ସମସ୍ତ କର୍କଟ ରୋଗୀ ନିଜର ବିଶ୍ୱାସ ହରାଇବେ ନାହିଁ, ମନକୁ ପ୍ରଫୁଲ୍ଲ ରଖିବେ ଏବଂ ସଠିକ୍ ପଥ ଅନୁସରଣ କରିବେ, ତେବେ ସେମାନେ ଏହି ରୋଗରୁ ମୁକ୍ତି ପାଇ ଏକ ସୁସ୍ଥ ଜୀବନଯାପନ କରିପାରିବେ।
