ସୋର / ଯାଜପୁର(ଜ୍ୟୋତି ପ୍ରକାଶ ଦିକ୍ଷୀତ) : ଗ୍ରାମ ରୁ ସାଧାରଣ ଲୋକଙ୍କ ଟଙ୍କା ଠକେଇ, ଅନ୍ୟ ଜିଲ୍ଲା ରେ ବେଶ ଆରାମ ଦାୟକ ସମୟ କାଟୁଥିଲେ। ଶେଷରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିବା ସହ ତାର ବଡ଼ଭାଇ ଫେରାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରୁ ବନ୍ଧୁକ, ମାଗାଜିନ ଓ ଦୁଇଟି ବାଇକ ଜବତ କରିଛି।
ପ୍ରକାଶ ଯେ ବାଲେଶ୍ବର ଜିଲ୍ଲା ସୋର ସୂଜନପୁର ଅଞ୍ଚଳର ଗୟାଧର ମହାକୁଡ଼ଙ୍କ ପୁଅ ବିଜୟଙ୍କ ଠାରୁ ତାଙ୍କ ଗ୍ରାମ ନିକଟସ୍ଥ ଅଙ୍କ ବରହମପୁର ଗ୍ରାମର ଅମୂଲ୍ୟ ହୋତାଙ୍କ ପୁଅ ଖଗେନ୍ଦ୍ର ଓ କ୍ଷିତାଶ ହୋଟେଲ ଓ ଜମି ଦେବା
ପାଇଁ ୨୫ ଲକ୍ଷ ଟଙ୍କା ନେଇଥିଲେ। ମାତ୍ର ଦୁଇଭାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଜମି କିମ୍ବା ହୋଟେଲ ନ ଦେବାରୁ ବିଜୟ ସେମାନଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ। ଜୁଲାଇ ୧ରେ ଟଙ୍କା ଫେରାଇବାକୁ ଦୁଇ ଭାଇ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଜୁନ ୨୮ ତାରିଖରୁ ଅମୂଲ୍ୟଙ୍କ ପରିବାର ଫେରାର ହୋଇ ଯାଇଥିଲେ।
ସେମାନେ ଧୁଷୁରୀ ଥାନା ଅଞ୍ଚଳରେ ରହୁଥିବା ଖବର ପାଇ ବିଜୟ ମହାକୁଡ଼ ସାଙ୍ଗ ବିଜୟ ବାରିକଙ୍କୁ ଧରି ଧୂଷୁରୀ ଅଞ୍ଚଳରେ ତିନି ଦିନ ରହିବା ପରେ ଦୁଇ ଭାଇଙ୍କୁ ଠାବ କରିଥିଲେ। ସେମାନଙ୍କୁ ଧରି ଧୁଷୁରୀ ଥାନାକୁ ନେବା ପରେ ଉଭୟଙ୍କ ମଧ୍ୟରେ ଟଙ୍କା ନେଣଦେଣ ନେଇ ଏକ ଚୁକ୍ତିନାମା ହୋଇଥିଲା। ପରେ ଦୁଇଭାଇ ତାଙ୍କ ବାପାଙ୍କ ପାଖକୁ
ଯିବାକୁ କହି ଛତାବର ଆଣିଥିଲେ। ସେଠାରୁ ସଠିପୁରରେ ସନ୍ଧ୍ୟାରେ ଭେଟ ହେବ କହିଥିଲେ। ପାଣିକୋଇଲି ଅଞ୍ଚଳରେ ତାଙ୍କ ବାପା ଥିବା କହି ୪ଜଣ ଦୁଇଟି ବାଇକରେ ଆସିଥିଲେ। ମାତ୍ର ପାଣିକୋଇଲି ମାଛ ମାର୍କେଟ ନିକଟରେ ଖଗେନ୍ଦ୍ର ଏକ ବନ୍ଧୁକ ବାହାର କରି ବିଜୟଙ୍କ ଉପରେ ଆକ୍ରମଣ ଉଦ୍ୟମ କରିବା ବେଳେ ବନ୍ଧୁକରୁ ମାଗାଜିନ୍ ଟି ତଳେ ପଡ଼ିଯାଇଥିଲା। ବିଜୟ ପାଟି କରିବାରୁ ଲୋକ ମାନେ ଦୌଡ଼ି ଆସିଥିଲେ । ଘଟଣାସ୍ଥଳରୁ କ୍ଷିତାଶ ଫେରାର ହୋଇଯାଇଥିବା ବେଳେ ଖଗେନ୍ଦ୍ରକୁ ଲୋକମାନେ କାବୁ କରି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖଗେନ୍ଦ୍ର କୁ ଅଟକ ରଖି ପଚରାଉଚୁରା କରିବା ସହ କ୍ଷୀତିଷ୍ କୁ ଗିରଫ ପାଇଁ ଉଦ୍ୟମ ଜାରି ରଖିଛି।
