*ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୧/୦୯:
ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନାର ପ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗ ଅଧୀନରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନାର ଲକ୍ଷ୍ୟ ଓ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।
ସମୀକ୍ଷାରୁ ଜଣାପଡ଼ିଛି ଯେ, ଜାତୀୟ ଉଦ୍ୟାନ କୃଷି ମିଶନ୍ NHM ଅଧୀନରେ ଜିଲ୍ଲାରେ ନୂତନ ଆମ୍ବ ବଗିଚା ସ୍ଥାପନ ପାଇଁ ଧାର୍ଯ୍ୟ ୨୦ ହେକ୍ଟର ଲକ୍ଷ୍ୟ ସମ୍ପୂର୍ଣ୍ଣ ହାସଲ ହୋଇଛି। ସେହିପରି ସାଧାରଣ ଅଞ୍ଚଳରେ ହାଇବ୍ରିଡ୍ ପନିପରିବା ଚାଷ ପାଇଁ ଧାର୍ଯ୍ୟ ୩୫ ହେକ୍ଟର ମଧ୍ୟରୁ ୨୫ ହେକ୍ଟର ଲକ୍ଷ୍ୟ ହାସଲ ହୋଇଛି।
‘ପ୍ରତି ବୁନ୍ଦାରେ ଅଧିକ ଫସଲ’ PDMC ଅଧୀନରେ ଜିଲ୍ଲାରେ ଡ୍ରିପ୍ ଜଳସେଚନ ପାଇଁ ୨୦୦ ହେକ୍ଟର ଲକ୍ଷ୍ୟ ବିପରୀତ ୮୬.୮୦ ହେକ୍ଟର ଏବଂ ସ୍ପ୍ରିଙ୍କଲର୍ ଜଳସେଚନ ପାଇଁ ୭୦୦ ହେକ୍ଟର ଲକ୍ଷ୍ୟ ବିପରୀତ ୨୧୨.୩ ହେକ୍ଟର ହାସଲ ହୋଇଥିବା ଦର୍ଶାଯାଇଛି।ରାଜ୍ୟ ଯୋଜନା ଅଧୀନରେ ଚାଷୀମାନଙ୍କୁ ସବସିଡି ମାଧ୍ୟମରେ ଚାରା ଯୋଗାଣ କ୍ଷେତ୍ରରେ ୭,୫୦୦ଟି ଆମ୍ବ, ୧,୫୦୦ଟି କାଗଜି ଲେମ୍ବୁ, ୧,୦୦୦ଟି ନଡ଼ିଆ ଓ ୫୦୦ଟି ଲିଚି ଚାରା ବଣ୍ଟନ ଲକ୍ଷ୍ୟର ସମ୍ପୂର୍ଣ୍ଣ ହାସଲ ହୋଇଛି।ସେହିପରି ଖରିଫ୍ ଋତୁରେ ହଳଦୀ ଚାଷ ପାଇଁ ଧାର୍ଯ୍ୟ ୪୦ ହେକ୍ଟର ଓ ଅଦା ଚାଷ ପାଇଁ ଧାର୍ଯ୍ୟ ୩୦ ହେକ୍ଟର ଲକ୍ଷ୍ୟ ହାସଲ ହୋଇଥିବା ବେଳେ ହାଇବ୍ରିଡ୍ ପନିପରିବା ଚାଷରେ ୮୦ ହେକ୍ଟର ଲକ୍ଷ୍ୟ ବିପରୀତ ୧୬ ହେକ୍ଟର ହାସଲ ହୋଇଛି।
ଏହି ଅବସରରେ ଜିଲ୍ଲାର ପ୍ରଗତିଶୀଳ ଓ ସଫଳ ଉଦ୍ୟାନ ଚାଷୀମାନଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ଚାଷୀମାନେ ହେଲେ କୋମନା ବ୍ଲକ୍ର ସୁଚିତ୍ରା ରଣା, ବୋଡେନ ବ୍ଲକ୍ର ଅନୁରାଧା ବଞ୍ଜାରା, ସିନାପାଲି ବ୍ଲକ୍ ଫର୍ସରା ଗ୍ରାମର ଦୁର୍ଯ୍ୟୋଧନ ରଣା, ସରଧାପୁର ଗ୍ରାମପଞ୍ଚାୟତର ଗୋଡ଼ତଲା ଗ୍ରାମର କବିତା ସାଗରିଆ, ଖରିଆର ବ୍ଲକ୍ର ଜୟନ୍ତୀ ବେହେରା ଏବଂ ନୂଆପଡ଼ା ବ୍ଲକ୍ ଜାମପାଣି ଅଞ୍ଚଳର ବିଜୟ ମାଝୀ।
ବୈଠକରେ କୋମନା ସହାୟକ ଉଦ୍ୟାନ କୃଷି ଅଧିକାରୀ ଆରାଧନା ଶବର, କୋମନା ଉଦ୍ୟାନ କୃଷି ଅଧିକାରୀ ଗୌରାଙ୍ଗ ଚରଣ ପ୍ରଧାନ, ନୂଆପଡ଼ା ଉଦ୍ୟାନ କୃଷି ଅଧିକାରୀ ଗୋବର୍ଦ୍ଧନ ପାଢ଼ୀ, ଖରିଆର ସହାୟକ ଉଦ୍ୟାନ କୃଷି ଅଧିକାରୀ ମୋହିତ କୁମାର ନାୟକଙ୍କ ସମେତ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।
