ବିଶ୍ୱେଶ୍ୱର ପୀଠରେ ନାବାଳିକାଙ୍କୁ ବଳାତ୍କାର: ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ
ସୋର(ନି.ପ୍ର , ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ): ନୀଳଗିରି ଥାନା ଅନ୍ତର୍ଗତ ବିଶ୍ୱେଶ୍ୱର ପୀଠରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ସୋର ପୁଲିସ୍ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ ଅନୁସାରେ, ଗତ ୧ ତାରିଖରେ ସୋର ଥାନା ତଳନଗର ଅଞ୍ଚଳର ଜଣେ ନାବାଳିକା ତାଙ୍କ ବନ୍ଧୁଙ୍କ ସହ ନୀଳଗିରି ଥାନା ଅନ୍ତର୍ଗତ ବିଶ୍ଵେଶ୍ୱର ପୀଠକୁ ବୁଲିବାକୁ ଯାଇଥିଲେ। ସେଠାରେ ତାଙ୍କ ବନ୍ଧୁ ତାଙ୍କୁ ବଳାତ୍କାର କରିବା ପରେ ବିଳମ୍ବିତ ରାତିରେ ତଳନଗର ନିକଟରେ ଛାଡ଼ି ଦେଇ ଚାଲିଯାଇଥିଲେ। ନାବାଳିକା ଜଣକ ସେଠାରେ ଇତସ୍ତତଃ ହୋଇ ବୁଲୁଥିବା ସମୟରେ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ୍ ତାଙ୍କୁ ଉଦ୍ଧାର କରି ସମ୍ପର୍କୀୟଙ୍କ ଘରେ ଛାଡିଥିଲା।
ଏ ନେଇ ନାବାଳିକା ଜଣକ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ କେସ୍ ନଂ ୬୫୧/୨୬ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ଆଧାରରେ ପୁଲିସ୍ ବାହାନଗା ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ରାଜୀବ ସିଂ (୨୭) ଏବଂ ତାଙ୍କୁ ସହଯୋଗ କରିଥିବା ଏସକେ ନାସିର ଅଲ୍ଲୀ (୨୭)କୁ ଗିରଫ କରିଛି। ସୋର ମେଡିକାଲରେ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ବାଲେଶ୍ଵର ପକ୍ସୋ କୋର୍ଟକୁ ଚାଲାଣ କରାଯାଇଛି।
