ମାନନୀୟ ସମ୍ପାଦକ ମହୋଦୟ , ଭଞ ଦୁତ
ବିଷୟ: ‘ହର ଘର ତ୍ରିରଙ୍ଗା’ ଅଭିଯାନ ପରେ ଜାତୀୟ ପତାକାର ଅବମାନନା ରୋକିବା ପାଇଁ ପ୍ରଶାସନିକ ସଚେତନତା ସମ୍ପର୍କରେ।
ମହାଶୟ ,
ଆପଣଙ୍କର ବହୁଳ ପ୍ରସାରିତ ତଥା ପ୍ରତିଷ୍ଠିତ ସମ୍ବାଦପତ୍ରର “ପାଠକଙ୍କ ଚିଠି” ସ୍ତମ୍ଭ ମାଧ୍ୟମରେ ସାମ୍ପ୍ରତିକ ସମୟର ଏକ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ପ୍ରତି ଗୃହ ବିଭାଗ, ସ୍ଥାନୀୟ ପ୍ରଶାସନ ଏବଂ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ପତ୍ରଟି ଲେଖୁଛି।
ଦେଶପ୍ରେମର ଅପୂର୍ବ ଶିହରଣ ନେଇ ଆମେ ସମସ୍ତେ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ପାଇଁ ଆନନ୍ଦର ସହ ନିଜ ନିଜ ଘରେ ଜାତୀୟ ପତାକା ଉଡ଼ାଇଥିଲେ। ଏଥିପାଇଁ ସରକାରଙ୍କ ଗୃହ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲା, ଯାହା ଫଳରେ ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଏକ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଥିଲା।
କିନ୍ତୁ ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡ଼ୁଛି ଯେ, ଉତ୍ସବ ସରିବାର ଦୀର୍ଘ ଦିନ ପରେ ମଧ୍ୟ ଅନେକ ସ୍ଥାନରେ ନିର୍ଦ୍ଧାରିତ ସମୟରୁ ଅଧିକ ଦିନ ଧରି ପତାକା ସେମିତି ଛାତ, ବାଲକୋନି କିମ୍ବା ଗଛ ଉପରେ ଓଡ଼ିଶା ସାରା ଉଡ଼ୁଛି। ଖରା, ବର୍ଷା ଓ ପବନ ମାଡ଼ରେ ସେହି ପୂଜ୍ୟ ତ୍ରିରଙ୍ଗା ଆଜି ମଳିନ, ଚିରା ଓ ଅବହେଳିତ ଅବସ୍ଥାରେ ଝୁଲି ରହିଛି। ଯେଉଁ ପତାକା ଆମ ଜାତୀୟ ଗୌରବର ପ୍ରତୀକ, ତାର ଏଭଳି ରୂପ ପ୍ରତ୍ୟେକ ଦେଶପ୍ରେମୀଙ୍କ ହୃଦୟକୁ ଗଭୀର ଆଘାତ ଦେଉଛି।
ଏହି ପରିପ୍ରେକ୍ଷୀରେ, ଗୃହ ବିଭାଗ ଏବଂ ପ୍ରଶାସନକୁ ମୋର ଆକୁଳ ଅନୁରୋଧ—ଯେଉଁଭଳି ଭାବେ ପତାକା ଉଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିଲା, ଠିକ୍ ସେହିପରି ଅଭିଯାନ ସରିବା ପରେ ଉକ୍ତ ପତାକାକୁ ସସମ୍ମାନେ ଓହ୍ଲାଇବା ଏବଂ ସଯତ୍ନେ ସୁରକ୍ଷିତ ରଖିବା ପାଇଁ ମଧ୍ୟ ବ୍ୟାପକ ପ୍ରଚାର ପ୍ରସାର କରାଯାଉ। ପ୍ରଶାସନ ପକ୍ଷରୁ ସ୍ଥାନୀୟ ମ୍ୟୁନିସିପାଲିଟି, ପଞ୍ଚାୟତ କିମ୍ବା ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରାଯାଉ ଏବଂ ରାସ୍ତାଘାଟରେ ପଡ଼ିଥିବା ବା ଅବହେଳିତ ଅବସ୍ଥାରେ ଥିବା ପତାକାଗୁଡ଼ିକୁ ସମ୍ମାନର ସହ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉ।
ଦେଶପ୍ରେମ କେବଳ ଗୋଟିଏ ଦିନର ଉତ୍ସବ ନୁହେଁ। ପତାକା ଉଡ଼ାଇବା ଯେତିକି ଗର୍ବର କଥା, ‘ଭାରତୀୟ ପତାକା ସଂହିତା’ (Flag Code of India) ଅନୁଯାୟୀ ତାକୁ ସମ୍ମାନର ସହ ରକ୍ଷଣାବେକ୍ଷଣ କରିବା ମଧ୍ୟ ଆମର ସେତିକି ବଡ଼ ଦାୟିତ୍ୱ। ଆଶା କରେ, ଗୃହ ବିଭାଗ ଏବଂ ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗମ୍ଭୀରତାର ସହ ନେଇ ତୁରନ୍ତ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିବେ।
ଇତି,
ଆପଣଙ୍କର ବିଶ୍ୱସ୍ତ,
ଦାମୋଦର ନାଏକ ,
ଅବସର ପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀ ତଥା ସଭାପତି ପଶ୍ଚିମ ଓଡ଼ିଶା କେଉଟ କୁଟୁମ୍ବ।
ମୁଁ:/ ପୋ ବଇରାସର ଜି – ବଲାଙ୍ଗୀର (ଓଡ଼ିଶା) ମୋବାଇଲ ନମ୍ବର ୯୪୩୭୫୪୯୭୫୫/ ୭୦୦୮୫୨୨୧୨୦
