*ନୂଆପଡ଼ାରେ ଟେଲିକମ୍ ଗ୍ରାହକ ସଚେତନତା କର୍ମଶାଳା*
*ଉଚିତ ମୂଲ୍ୟରେ ଉନ୍ନତମାନର ସେବା ଯୋଗାଇବାକୁ ଟେଲିକମ୍ କମ୍ପାନୀଙ୍କୁ ଆହ୍ୱାନ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୦୮/୦୯:
ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ)ର ସହଯୋଗରେ ଉପଭୋକ୍ତା ଅଧିକାର ସଂଗଠନ ‘ବାର୍ଡ’ ପକ୍ଷରୁ ନୂଆପଡ଼ା ନ୍ୟାସନାଲ କଲେଜ ସଭାଗୃହରେ ଟେଲିକମ୍ ଗ୍ରାହକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା।କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନ୍ୟାସନାଲ କଲେଜର ଅଧ୍ୟକ୍ଷ ହିତେଶ କୁମାର ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।ବର୍ତ୍ତମାନ ସମୟରେ ଡିଜିଟାଲ ସେବା, ଅନଲାଇନ୍ କାରବାର ଓ ଇଣ୍ଟରନେଟ୍ ଉପରେ ଲୋକଙ୍କ ନିର୍ଭରଶୀଳତା ବୃଦ୍ଧି ପାଇଥିବାରୁ ଟେଲିକମ୍ ସେବା ସମ୍ପର୍କରେ ଗ୍ରାହକଙ୍କ ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।ସାଇବର ପୁଲିସ ଷ୍ଟେସନର ଅଧିକାରୀ ଦିଲୀପ କୁମାର ସାହୁ ସାଇବର ଠକେଇରୁ ସୁରକ୍ଷିତ ରହିବା ସମ୍ପର୍କରେ ସଚେତନ କରିଥିଲେ। ଅଜଣା ଲିଙ୍କରେ କ୍ଲିକ୍ ନକରିବା, ଅଜଣା ଆପ୍ ଡାଉନଲୋଡ୍ ନକରିବା, କାହା ସହିତ ଓଟିପି କିମ୍ବା ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ ଶେୟାର ନକରିବା, ସାମାଜିକ ଗଣମାଧ୍ୟମ, ଇ-ମେଲ୍ ଓ ସର୍ବସାଧାରଣ ୱାଇ-ଫାଇ ବ୍ୟବହାର ସମୟରେ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ।ଟ୍ରାଇ ଗ୍ରାହକ ପରାମର୍ଶଦାତା ଗୋଷ୍ଠୀ (CAG) ତଥା ‘ବାର୍ଡ’ର ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାହୁ ସମ୍ବଳିତ ପିପିଟି ମାଧ୍ୟମରେ ଟେଲିକମ୍ ଗ୍ରାହକଙ୍କ ଅଧିକାର ଓ ବିଭିନ୍ନ ସେବା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ଡିଏନ୍ଡି, ମାଇସ୍ପିଡ୍, ମାଇକଲ୍, ସଞ୍ଚାର ସାଥୀ, ଚକ୍ଷୁ, ପ୍ରତିବିମ୍ବ, ୧୯୩୦ ସାଇବର ହେଲ୍ପଲାଇନ୍ ଓ ସରକାରଙ୍କ ସାଇବର ଅପରାଧ ପୋର୍ଟାଲ୍ ଆଦି ସେବା ବିଷୟରେ ସେ ଅବଗତ କରାଇଥିଲେ।ଏହି ଅବସରରେ ନୂଆପଡ଼ା ଜିଲ୍ଲାର ଗ୍ରାମାଞ୍ଚଳରେ ଟେଲିକମ୍ ନେଟୱର୍କ ସମସ୍ୟା, ଧୀରଗତି କିମ୍ବା ନେଟୱର୍କ ଉପଲବ୍ଧ ନଥିବା, ବିଭିନ୍ନ ଟାରିଫ୍ ପ୍ଲାନ୍, ୨୮ ଦିନର ବୈଧତା, କମ୍ ମୂଲ୍ୟର ଉପଯୋଗୀ ପ୍ଲାନ୍ର ଅଭାବ, ବିଲ୍ ସମ୍ପର୍କିତ ବିବାଦ ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ନେଇ ଆଲୋଚନା ହୋଇଥିଲା। ଗ୍ରାହକମାନେ କମ୍ପାନୀର ଗ୍ରାହକ ସେବା କେନ୍ଦ୍ର, ଟୋଲ୍ ଫ୍ରି ନମ୍ବର ଓ ଓଡ଼ିଆ ଭାଷାରେ ଅଭିଯୋଗ ସମାଧାନ ସୁବିଧା ସମ୍ପର୍କରେ ମଧ୍ୟ ଜାଣିଥିଲେ।
ବରିଷ୍ଠ ଆଇନଜୀବୀ ନାରାୟଣ ପ୍ରସାଦ ଯୋଶୀ ଟେଲିକମ୍ କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ଉନ୍ନତମାନର ସେବା ଯୋଗାଇବା ଆବଶ୍ୟକ ବୋଲି କହିଥିଲେ। ନିୟମ ଉଲ୍ଲଂଘନ ହେଲେ ଦଣ୍ଡାତ୍ମକ ପଦକ୍ଷେପ ସହ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଥିବା ସେ ସୂଚନା ଦେଇଥିଲେ। ଗ୍ରାମାଞ୍ଚଳରେ ଏଭଳି ଅଧିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।କର୍ମଶାଳାରେ ବିଏସ୍ଏନ୍ଏଲ୍, ଏୟାରଟେଲ୍ ଓ ଜିଓର କ୍ଷେତ୍ରୀୟ ଅଧିକାରୀଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଓ ଟେଲିକମ୍ ଗ୍ରାହକ ଯୋଗଦେଇଥିଲେ। ନିଯୁକ୍ତି ପରାମର୍ଶଦାତା ତଥା କାର୍ଯ୍ୟନିର୍ବାହୀ ସଂଯୋଜକ ସୁକଦେବ ଭିଲ୍ ସ୍ୱାଗତ ଭାଷଣ ଦେଇଥିବା ବେଳେ ଫିଜିକାଲ୍ ବିଭାଗର ପ୍ରକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
