ନେରେଡି ପ୍ରକଳ୍ପକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ।
ଗଜପତି (ଟିକି ଲିମା)
ନେରେଡି ପ୍ରକଳ୍ପକୁ ନେଇ ଗଜପତି ଜିଲ୍ଲାରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ଓ ଆଗାମୀ ପଦକ୍ଷେପ ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ।
ନେରେଡି ପ୍ରକଳ୍ପ ଯୋଗୁଁ ଗଜପତି ଜିଲ୍ଲାର ଚାଷଜମି, ଜଳସେଚନ, କୃଷକଙ୍କ ଜୀବିକା ଓ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବିଶେଷକରି କାଶୀନଗର ଅଞ୍ଚଳ ସମେତ ବଂଶୀଧାରା ନଦୀ ଅବବାହିକାରେ ପ୍ରକଳ୍ପର ପ୍ରଭାବ ଏବଂ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ନେଇ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ପ୍ରକଳ୍ପ ସମ୍ପର୍କିତ ତଥ୍ୟ, ପ୍ରଶାସନିକ ପଦକ୍ଷେପ ଏବଂ ଆଗାମୀ ରଣନୀତି ନେଇ ଅଧିକାରୀମାନେ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାର ଚାଷୀ ଓ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପ୍ରକଳ୍ପ ସମ୍ପର୍କିତ ସମସ୍ତ ପ୍ରସଙ୍ଗରେ ସତର୍କତାର ସହ ପଦକ୍ଷେପ ନେବା ଉପରେ ମତ ପ୍ରକାଶ ପାଇଥିଲା।
ନେରେଡି ପ୍ରକଳ୍ପକୁ ନେଇ ପୂର୍ବରୁ ମଧ୍ୟ ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚିନ୍ତା ଓ ପ୍ରତିବାଦ ପ୍ରକାଶ ପାଇଆସିଛି। ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଜମି ଓ ଚାଷୀଙ୍କ ଉପରେ ପଡ଼ିପାରୁଥିବା ପ୍ରଭାବ ନେଇ ଲୋକମାନେ ଦୀର୍ଘଦିନ ଧରି ନିଜ ଦାବି ଉଠାଇଆସୁଛନ୍ତି।
ବୈଠକରେ ସମ୍ପୃକ୍ତ ବିଭାଗର ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ନେରେଡି ପ୍ରକଳ୍ପ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ମତବିନିମୟ କରିଥିଲେ।
