ଅଭିଭାବକ ବୈଠକରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ
ବେଲଗୁଣ୍ଠା, ୬/୯: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରବିବାର ଅଭିଭାବକ ବୈଠକ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଶୃଙ୍ଖଳା, ନୈତିକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ଅଭିଭାବକ ଯୋଗଦେଇ ସକ୍ରିୟ ଭାବେ ମତାମତ ରଖିଥିଲେ। ବୈଠକରେ ବିଦ୍ୟାଳୟ ପରିଚାଳନା ସମିତିର ଉପଦେଷ୍ଟା ରବୀନ୍ଦ୍ରନାଥ ରଥ, ସଭାପତି ବିଜୟ କୁମାର ସ୍ଵାଇଁ, ଉପସଭାପତି କାଳିଚରଣ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଶୋୟୀ ପରିଚାଳନା ସମିତିର ସଦସ୍ୟମାନଙ୍କ ପରିଚୟ ପ୍ରଦାନ କରିବା ସହ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରାଇଥିଲେ। ସମସ୍ତ ଗୁରୁଜୀ ଓ ଗୁରୁମା ବୈଠକରେ ଉପସ୍ଥିତ ଥିଲେ। ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ନୈତିକ ମୂଲ୍ୟବୋଧ ଓ ଉତ୍ତମ ଚରିତ୍ର ଗଠନ ପାଇଁ ବିଦ୍ୟାଳୟର ପ୍ରୟାସକୁ ଅଭିଭାବକମାନେ ପ୍ରଶଂସା କରିଥିଲେ। ସୁନ୍ଦର ଶିକ୍ଷାଦାନ ପରିବେଶ, ଶୃଙ୍ଖଳିତ ବ୍ୟବସ୍ଥା ଓ ଉତ୍ତମ ପରିବେଶ ଛାତ୍ରଛାତ୍ରୀଙ୍କ ମାନସିକ ଓ ବୌଦ୍ଧିକ ବିକାଶରେ ସହାୟକ ହେଉଥିବା ସେମାନେ କହିଥିଲେ। ଏଠାରୁ ଶିକ୍ଷାଲାଭ କରି ଅନେକ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ସହ ଉତ୍ତମ ଚରିତ୍ର ଗଠନର ସୁଯୋଗ ପାଇଥିବା ନେଇ ଅଭିଭାବକମାନେ ସନ୍ତୋଷ ପ୍ରକାଶ କରିଥିଲେ। ବିଦ୍ୟାଳୟର ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ନିରନ୍ତର ସମନ୍ୱୟ ଓ ସହଯୋଗ ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
