ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲା କୁନି ଜୀବନ
ଏକ ବର୍ଷ ନଅ ମାସର ଝିଅର ଅକାଳ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା
===========================
ମାଥିଲି (ନି. ପ୍ର.), ତା. ୦୬/୦୯/୨୦୨୬:
ରିପୋର୍ଟ – ଶ୍ରୀଧର ପାଢ଼ୀ
ଖେଳିବା ବୟସରେ ଅକାଳରେ ଝରିଗଲା ଏକ କୁନି ଜୀବନ। ମାତ୍ର ଏକ ବର୍ଷ ନଅ ମାସର ଶିଶୁ କନ୍ୟା ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବା ଏକ ଅତ୍ୟନ୍ତ ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୁରୁପାଲି ପଞ୍ଚାୟତ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମରେ ଘଟିଛି। ଏହି ଘଟଣା ପରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ମୃତ କୁନି ଝିଅଟି ହେଉଛି ସର୍ଗିଗୁଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ ବାଲମତି ପୂଜାରୀଙ୍କ ଏକ ବର୍ଷ ନଅ ମାସର ଝିଅ ଶ୍ରୀୟା।
ସୂଚନା ଅନୁଯାୟୀ, ଆଜି ରବିବାର ଛୁଟି ଥିବାରୁ ଶ୍ରୀୟାଙ୍କ ମାଆ ଚାଷ ଜମିକୁ ଯାଇଥିଲେ। କୁନି ଝିଅ ଶ୍ରୀୟାକୁ ପାଖ ପଡ଼ୋଶୀଙ୍କ ପୁଅଝିଅମାନଙ୍କ ପାଖରେ ଖେଳିବାକୁ ଛାଡ଼ି ଅଳ୍ପ ସମୟ ମଧ୍ୟରେ ଫେରିଆସିବେ ବୋଲି କହି ଜମିକୁ ଚାଲିଯାଇଥିଲେ।
ତେବେ ଖେଳୁ ଖେଳୁ କେବେ ଯେ କୁନି ଶ୍ରୀୟା ଘର ନିକଟରେ ଥିବା ପୋଖରୀ ପାଖକୁ ଚାଲିଯାଇଥିଲା, ତାହା କେହି ଜାଣିପାରିନଥିଲେ। ଅସାବଧାନତାବଶତଃ ପୋଖରୀ ପାଣିରେ ପଡ଼ି ବୁଡ଼ିଯିବାରୁ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ମାତ୍ର କିଛି ମୁହୂର୍ତ୍ତର ଅସାବଧାନତା ଏକ ମାଆଙ୍କ କୋଳକୁ ଶୂନ୍ୟ କରିଦେଇଛି। କୁନି ଝିଅର ଅକାଳ ବିୟୋଗରେ ପରିବାର ଲୋକଙ୍କ ମଧ୍ୟରେ ଅସହ୍ୟ କୋହ ଓ କାନ୍ଦଣାର ରୋଳ ଶୁଣିବାକୁ ମିଳୁଛି। ଗ୍ରାମବାସୀମାନେ ମଧ୍ୟ ଏହି ମର୍ମନ୍ତୁଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୃତଦେହ ବର୍ତ୍ତମାନ ମାଥିଲି ମେଡିକାଲରେ ରହିଥିବା ଜଣାପଡ଼ିଛି। ଏନେଇ ପରିବାର ଲୋକେ ମାଥିଲି ଥାନାରେ ମାମଲା ରୁଜୁ କରିଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।
