ସର୍ବପଲ୍ଲୀ ରାଧାକିଷ୍ଣନଙ୍କ ଜନ୍ମଦିନରେ ସାରସକଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଗୁରୁଦିବସ ପାଳିତ
___________________
ସାରସକଣା,(୬/୯/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅଧୀନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଗତ ୫ ତାରିଖ ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗଳ ଚରଣ ସିଂଙ୍କ ତତ୍ତ୍ଵାବଧାନରେ ମହାନ ଦାର୍ଶନିକ, ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକିଷ୍ଣନଙ୍କ ଜନ୍ମଦିନ ଅବସରରେ କାର୍ଯ୍ୟାଳୟରେ ଗୁରୁ ଦିବସ ପାଳନ ହୋଇଯାଇଛି ।ଏହି ସେପ୍ଟେମ୍ବର ୫ ତାରିଖକୁ ସମଗ୍ର ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ନିକଟସ୍ଥ ଥିବା ସାରସକଣା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗୁରୁ ଦିବସ ପାଳନ ସହିତ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇବା ସହ ଡ. ସର୍ବପଲ୍ଲୀ ରାଧାକିଷ୍ଣନଙ୍କ ଜୀବନ, ଆଦର୍ଶ ଓ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ସମ୍ପର୍କରେ ଆଲୋଚନା କର। ଯାଇଥିଲା । ଗୁରୁଙ୍କ ମାର୍ଗଦର୍ଶନ ଛାତ୍ରଛାତ୍ରୀଙ୍କ ଜୀବନକୁ ସଫଳତାର ପଥରେ ଆଗେଇ ନେବାରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ଅତିଥି ଓ ଶିକ୍ଷକମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଗୁରୁ-ଶିଷ୍ୟ ସମ୍ପର୍କର ମହାନ ପରମ୍ପରାକୁ ସ୍ମରଣ କରି ସମସ୍ତେ ଶିକ୍ଷକମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। “ଗୁରୁ ହେଉଛନ୍ତି ଜୀବନର ପଥପ୍ରଦର୍ଶକ, ତାଙ୍କ ଜ୍ଞାନ ଓ ଆଦର୍ଶ ହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ଆଲୋକ ” । ଗୁରୁଦିବସର ଏହି ପବିତ୍ର ଅବସରରେ ଶିକ୍ଷକ ସମାଜ ପ୍ରତି ସମ୍ମାନ ଓ କୃତଜ୍ଞତାର ଭାବନା ସମସ୍ତଙ୍କ ମନରେ ଜାଗ୍ରତ ହୋଇଥିଲା । ଏହି ଗୁରୁଦିବସ ଦିନ କାର୍ଯ୍ୟାଳୟ ପକ୍ଷରୁ ୧୧ ଜଣ ଅବସରପ୍ରାପ୍ତ ଗୁରୁ(ଶିକ୍ଷକ, ଶିକ୍ଷୟିତ୍ରୀ)ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
