*ନୂଆପଡ଼ାରେ ଜ଼ିଲ୍ଲାପାଳଙ୍କ *ଅଧ୍ୟକ୍ଷତାରେ ଏସ୍ଏସ୍ଡି ବିଦ୍ୟାଳୟ ସମୀକ୍ଷା ବୈଠକ ଅନୁଷ୍ଠିତ*
*
ନୂଆପଡ଼ା(ମିଖାଏଲ ନନ୍ଦ),
ତା. ୦୩/୦୯:
ନୂଆପଡ଼ା ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍ଏସ୍ଡି) ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟକାରିତା ଓ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ଜିଲ୍ଲା କଲ୍ୟାଣ ଅଧିକାରୀ କାଳୀକିଙ୍କର ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଓ ଆଲୋଚ୍ୟ ବିଷୟବସ୍ତୁ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶିକ୍ଷାର ଗୁଣାତ୍ମକ ଉନ୍ନତି, ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥାନ ଓ ବିଦ୍ୟାଳୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ସଫଳତା ପାଇଁ ପରିଶ୍ରମର କୌଣସି ବିକଳ୍ପ ନାହିଁ ବୋଲି ପ୍ରକାଶ କରି ସେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନିଜ କର୍ତ୍ତବ୍ୟ ସମ୍ପାଦନରେ ଆନ୍ତରିକତା, ନିଷ୍ଠା ଓ ସମର୍ପଣର ସହ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଶିକ୍ଷା ସହିତ ସେମାନଙ୍କର ଶୃଙ୍ଖଳା, ଉପସ୍ଥାନ ଓ ସାମଗ୍ରିକ ବିକାଶ ପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।
ବୈଠକରେ ଶ୍ରେଷ୍ଠ ପ୍ରଧାନଶିକ୍ଷକ ଭାବେ କୋମନା ବ୍ଲକ୍ର କାଣ୍ଡେତରା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନ ସୁନ୍ଦର ହୋତାଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ କିଚେନ୍ ଗାର୍ଡେନ୍ ପାଇଁ କୋମନା ବ୍ଲକ୍ର ସହଜାତ ଆଶ୍ରମ ବିଦ୍ୟାଳୟର ଶକୁନ୍ତଳା ତ୍ରିପାଠୀ ଏବଂ ଶ୍ରେଷ୍ଠ ଉପସ୍ଥାନ ପାଇଁ ବୋଡ଼େନ ବ୍ଲକ୍ର କରଙ୍ଗାମାଲ ସେବାଶ୍ରମର ପୁଷ୍ଟମ ନାଏକଙ୍କୁ ସମ୍ମାନିତ କରାଯାଇଥିଲା।
ବୈଠକରେ ଏସ୍ଏସ୍ଡି ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
