ସାରସକଣା ଡ୍ରାଇଭର ମହାସଂଘର ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ
___________________
ସାରସକଣା,(୨/୯/୨୬):(ନି.ପ୍ର):
ଓଡିଶା ଡ୍ରାଇଭର ମହାସଂଘର ସାରସକଣା ଶାଖା ଡ୍ରାଇଭର ମହାସଂଘର ସଭାପତି ବିଷ୍ଣୁପ୍ରସାଦ ମଣ୍ଡଳଙ୍କ ନେତୃତ୍ୱରେ ଗତକାଲି ୧ ତାରିଖ ମଙ୍ଗଳବାର ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କରାଯାଇଛି ।ଏ ପରିପ୍ରେକ୍ଷୀରେ ସାରସକଣା ଡ୍ରାଇଭର ମହାସଂଘ ଶାଖା ସମ୍ପାଦକ ବ୍ରଜସୁନ୍ଦର ବାସୁରୀଙ୍କ ଆହ୍ୱାନରେ ମହାସଂଘ ଶାଖାର ଶତାଧିକ ଡ୍ରାଇଭର ଭାଇ ମାନେ ଏକଜୁଟ ହୋଇ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କରିଛନ୍ତି । ଏ ଅବସରରେ ସକାଳ ୯ ଘଟିକା ସମୟରେ ସମୂହେ ସାରସକଣା ସାରସକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ସଭା କରିଥିଲେ । ତତ୍ପରେ ଏକତ୍ରିତ ଭାବେ ଏକ ମଟର ସାଇକେଲ ଶୋଭାଯାତ୍ରାରେ ବାହାରି ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଅନ୍ତେବାସୀ ରୋଗୀ ମାନଙ୍କୁ ଫଳ,ଶୁଖିଲା ଖାଦ୍ୟ ଓ ଶୁଦ୍ଧ ପାନୀୟ ଜଳ ବଣ୍ଟନ କରିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ମେଡିକାଲ ଅଫିସର ଡକ୍ଟର ବିଜୟକୃଷ୍ଣ ଦାସ ଓ ଆୟୁଷ ଡକ୍ଟର ସୁଜାତା ପ୍ରିୟଦର୍ଶନୀ ବେହେରାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ମଟର ସାଇକେଲ ଶୋଭାଯାତ୍ରା ଯୋଗେ ଝାରପୋଖରିଆ ବଜାର ପରିକ୍ରମା କରି ଧାଙ୍ଗୁଡ଼ିଶୋଳ ଛକ ପର୍ଯ୍ୟନ୍ତ ଯାଇ ପ୍ରତ୍ୟାବର୍ତ୍ତନ କରି ଝାରପୋଖରିଆ ସ୍ଥିତ ଶ୍ରୀ ଶ୍ରୀ ଲୋକନାଥ ଶିବମନ୍ଦିର ପହଞ୍ଚିଥିଲେ । ସେଠାରେ ସମୂହେ ସଂଘର ସଭାପତି ବିଷ୍ଣୁପ୍ରସାଦ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ଏକ ସଭା କରିଥିଲେ । ଏଥିରେ ଡ୍ରାଇଭର ମାନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଏକ ଆଇନ ପ୍ରଣୟନ କରିବା ଏବଂ ସେପ୍ଟେମ୍ବର ୧ ତାରିଖକୁ “ରାଷ୍ଟ୍ରୀୟ ଡ୍ରାଇଭର ଦିବସ” ରୂପେ ଘୋଷଣା କରିବା ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ । ପରେ ସମସ୍ତ ଡ୍ରାଇଭର ଭାଇ ମାନେ ମାଦକ ଦ୍ରବ୍ୟ ସେବନ ନ କରିବା ସହିତ ନିଶା ମୁକ୍ତ ହୋଇ ଗାଡ଼ି ଚଳାଇବାର ଶପଥ ଗ୍ରହଣ କରିଥିଲେ । ସର୍ବଶେଷରେ ଅଞ୍ଚଳର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ଲୋକ ସେବକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ ।ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୁତ ଖବର ।
