ଦନ୍ତାହାତୀ ଆକ୍ରମଣରେ ନାବାଳିକା ମୃତ୍ୟୁ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଦଦରା ଘାଟି ଫରେଷ୍ଟ ସେକ୍ସନ ମଙ୍ଗଳବାର ବିଳମ୍ବିତ ରାତିରେ ଘର ବାହାରକୁ ଆସିବା ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ପାଇଁ ମହଙ୍ଗା ପଡ଼ିଛି। ଦନ୍ତା ହାତୀ ଆକ୍ରମଣରେ ସରକିଶୋରପାଳ ଗ୍ରାମର ଦେବଜାନୀ ନାଏକ ଙ୍କୁ ପ୍ରଥମେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,ମାଣିକମରା ଗ୍ରାମପଞ୍ଚାୟତ ସରକିଶୋରପାଳ ଗ୍ରାମର ବିଷ୍ଣୁ ନାଏକଙ୍କ ଝିଅ ଦେବଜାନୀ ମଙ୍ଗଳବାର ରାତି ପ୍ରାୟ ୧୨ଟା ୩୦ରେ ଘର ବାହାରକୁ ବାହାରିଥିଲେ। ଘରଦ୍ଵାର ସମ୍ମୁଖରେ ଛକି ରହିଥିବା ଏକ ଦନ୍ତାହାତୀ ହଠାତ୍ ତାଙ୍କୁ ଶୁଣ୍ଢରେ ଧରି ଫିଙ୍ଗି ଦେଇଥିଲା। ଦେବଜାନୀଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡ଼ାଇଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ,ଉକ୍ତ ଦନ୍ତାହାତୀଟି କିଛିଦିନ ହେଲା ଗ୍ରାମ ବିଭାଗ ନିକଟରେ ଦାବି କରିଛନ୍ତି। ହାତୀ ଟି ବହୁତ ଉପଦ୍ରବ ଚଳାଇବା ସହ ବ୍ୟାପକ ଫସଲ ଓ ସମ୍ପତି ନଷ୍ଟ କରୁଥିଲା। ଏହା ସତ୍ତ୍ବେ ହାତୀଟି ଜନବସତି ନିକଟରେ ରହିବା ଏବେ ଲୋକଙ୍କ ମଧ୍ୟରେ ଭୟର କାରଣ ପାଲଟିଛି। ଘଟଣା ପରେ ଦଦରାଘାଟି ଫରେଷ୍ଟର ଅମିତ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଦେବଜାନୀଙ୍କୁ ଚିକିତ୍ସା ପାଇଁ ଅନୁଗୋଳ ନେଇଥିଲେ। ବର୍ତ୍ତମାନ ବନ ବିଭାଗ ପକ୍ଷରୁ ଦନ୍ତାହାତୀଟିର ଗତିବିଧି ଉପରେ ନଜର ରଖାଯାଇଥିବା ଫରେଷ୍ଟର କହିଛନ୍ତି। ଅନ୍ୟପକ୍ଷରେ ହାତୀଟିକୁ ତୁରନ୍ତ ଜନବସତି ଅଞ୍ଚଳରୁ ଘଉଡ଼ାଇବା ସହ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଗ୍ରାମବାସୀ ବନ ବିଭାଗ ନିକଟରେ ଦାବୀ କରିଛନ୍ତି।
