ଏନ୍ଟିପିସି ସିଏସ୍ଆର ପାଣ୍ଠିରେ ୫୦ ହାଇସ୍କୁଲରେ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ
ବରଗଡ଼: ୨୨/୦୮(ନି ପ୍ର) ଏନ୍ଟିପିସିର କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି (ସିଏସ୍ଆର) ପାଣ୍ଠିରୁ ବରଗଡ଼ ଜିଲ୍ଲାର ଶିକ୍ଷା କ୍ଷେତ୍ରକୁ ସୌର ଶକ୍ତି ମାଧ୍ୟମରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ୫୦ଟି ହାଇସ୍କୁଲରେ ମୋଟ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୫ କିଲୋୱାଟ୍ କ୍ଷମତାସମ୍ପନ୍ନ ଅଫ୍-ଗ୍ରିଡ୍ ସୋଲାର ସିଷ୍ଟମ୍ ସ୍ଥାପନ କରାଯାଇଛି।
ଏହି କ୍ରମରେ ବରଗଡ଼ ସହରସ୍ଥିତ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସୌର ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଯୋଗଦାନ କରି ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୂଏ, ଏଡିଏମ୍ ବରଗଡ଼ ମଧୁଛନ୍ଦା ସାହୁ,ଏନ୍ଟିପିସିର ଅଧିକାରୀ ମାନେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ସୁନାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ୫ କିଲୋୱାଟ୍ ଅଫ୍-ଗ୍ରିଡ୍ ସୋଲାର ସିଷ୍ଟମ୍ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ବିଦ୍ୟୁତ୍ ଯୋଗାଣରେ ସହାୟତା ମିଳିବ। ବିଶେଷକରି ବିଦ୍ୟୁତ୍ ବିଭ୍ରାଟ ସମୟରେ ଶିକ୍ଷାଦାନ ଓ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକଳାପ ଅବ୍ୟାହତ ରଖିବାରେ ଏହା ଉପଯୋଗୀ ହେବ। ଏହା ସହିତ ବିଦ୍ୟୁତ୍ ଖର୍ଚ୍ଚ କମାଇବା ସହ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଏହି ପ୍ରକଳ୍ପ ଏକ ସକାରାତ୍ମକ ପଦକ୍ଷେପ ବୋଲି କୁହାଯାଇଛି l ଶିକ୍ଷାନୁଷ୍ଠାନଗୁଡ଼ିକରେ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି ପାଇଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୌର ଶକ୍ତି ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ମଧ୍ୟ ବୃଦ୍ଧି ପାଇବ। ଏନ୍ଟିପିସିର ସିଏସ୍ଆର ପାଣ୍ଠିରେ ଜିଲ୍ଲାର ୫୦ଟି ହାଇସ୍କୁଲରେ ଏଭଳି ସୌର ବ୍ୟବସ୍ଥା ସ୍ଥାପନ ହେବାକୁ ଶିକ୍ଷା ଓ ସବୁଜ ଶକ୍ତି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି।
