ଯାଜପୁରରେ ‘ଜାତୀୟ କୃମି ନାଶକ ଦିବସ’ ପାଳିତ: ଶିଶୁ ଓ କିଶୋର-କିଶୋରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବ୍ୟାପକ ସଚେତନତା
**********************
ଯାଜପୁର :୧୦ ଅଗଷ୍ଟ, ୨୦୨୬(ଭଞ୍ଜଦୂତ ଖବର :ସରୋଜ କୁମାର ଧଳ )
ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଯାଜପୁର ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଯାଜପୁର ସ୍ଥିତ କ୍ରାନିୟମ ପବ୍ଲିକ ସ୍କୁଲ ଠାରେ ‘ଜାତୀୟ କୃମି ନାଶକ ଦିବସ’ (National Deworming Day) ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ରମେଶ ଚନ୍ଦ୍ର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଶୁଭାରମ୍ଭ ସହିତ ହୋଇଯାଇଛି। ଏହି ଅବସରରେ ୩୦୦ ଜଣ କ୍ରାନିୟମ ପବ୍ଲିକ ସ୍କୁଲ ପିଲାଙ୍କୁ କୃମି ନାଶକ ଔଷଧ ଖାଇବାକୁ ଦିଆଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃମି ସଂକ୍ରମଣରୁ ଶିଶୁ, କିଶୋର-କିଶୋରୀ ଏବଂ ମହିଳାମାନଙ୍କୁ ସୁରକ୍ଷିତ ରଖି ସେମାନଙ୍କର ଶାରୀରିକ ଓ ମାନସିକ ବିକାଶକୁ ସୁନିଶ୍ଚିତ କରିବା।
କୃମି ସଂକ୍ରମଣ ଯୋଗୁଁ ଶିଶୁମାନଙ୍କଠାରେ ଅପପୁଷ୍ଟି, ଶାରୀରିକ ଦୁର୍ବଳତା ଏବଂ ରକ୍ତହୀନତା (Anemia) ଭଳି ଗମ୍ଭୀର ସମସ୍ୟା ଦେଖାଦେଇଥାଏ, ଯାହା ସେମାନଙ୍କର ପାଠପଢ଼ା ଓ ଭବିଷ୍ୟତ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ୧ ରୁ ୧୯ ବର୍ଷ ବୟସର ସମସ୍ତ ପିଲାଙ୍କୁ ବିଦ୍ୟାଳୟ, କଲେଜ ଓ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ କୃମି ନାଶକ ଔଷଧ (ଆଲବେଣ୍ଡାଜୋଲ୍ ବଟିକା କିମ୍ବା ସିରପ୍) ପ୍ରଦାନ କରାଯାଉଛି। ଏହାସହିତ ୨୦ ରୁ ୨୪ ବର୍ଷର ପ୍ରଜନନକ୍ଷମ ମହିଳାମାନଙ୍କୁ ମଧ୍ୟ ଆଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଏହି ଔଷଧ ସେବନ କରାଯାଉଛି।
ଏହି ଅଭିଯାନ ଆଜି ଜିଲ୍ଲାର ୨୨୫୪ ସରକାରୀ ବିଦ୍ୟାଳୟ, ୨୭୬ ବେସରକାରୀ ବିଦ୍ୟାଳୟ ଓ ୨୭୬୮ ଅଙ୍ଗନୱାଡି କେନ୍ଦ୍ରରେ ଆରମ୍ଭ ହୋଇଛି। ଏହି ସମସ୍ତ ସ୍ଥାନରେ ଆଶା କର୍ମୀ, ଅଙ୍ଗନବାଡି ଦିଦି, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପସ୍ଥିତି ରେ ପିଲା ମାନଙ୍କୁ କୃମି ନାଶକ ବଟିକା ଓ ସିରପ ଆଲବେଣ୍ଡାଜୋଲ ଖାଇବାକୁ ଦିଆଯାଉଛି। ଜିଲ୍ଲାର ସରକାରୀ, ବେସରକାରୀ ବିଦ୍ୟାଳୟରେ ୩୯୮,୪୪୯ ଜଣ ପିଲାମାନଙ୍କୁ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ୧,୧୯,୯୭୬ ଜଣ ପିଲାମାନଙ୍କୁ ଏହି ବଟିକା ଓ ଶିରପ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି।
ଯେଉଁ ପିଲାମାନେ କୌଣସି କାରଣରୁ ଆଜି ଜାତୀୟ କୃମି ନାଶକ ଦିବସରେ ଔଷଧ ଖାଇବାରୁ ବଞ୍ଚିତ ହୋଇଥିବେ, ସେମାନଙ୍କ ପାଇଁ ଆସନ୍ତା ୧୭ ଅଗଷ୍ଟ ଦିନ ‘ମୋପ୍-ଅପ୍ ରାଉଣ୍ଡ’ (Mop-up Day) ପାଳନ କରାଯାଇ ବିଶେଷ ଭାବେ ଔଷଧ ଦିଆଯିବ। କୃମି ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେବଳ ଔଷଧ ସେବନ ଯଥେଷ୍ଟ ନୁହେଁ, ବରଂ ଦୈନନ୍ଦିନ ଜୀବନରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ନିହାତି ଆବଶ୍ୟକ।
ଏହି ଅବସରରେ ଖୋଲାସ୍ଥାନରେ ମଳତ୍ୟାଗ ନକରି ସଦାସର୍ବଦା ଶୌଚାଳୟ ବ୍ୟବହାର କରିବା, ଖାଇବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ସାବୁନରେ ହାତ ଧୋଇବା, ସ୍ୱଚ୍ଛ ଖାଦ୍ୟ-ଜଳ ଗ୍ରହଣ କରିବା, ନଖ ଛୋଟ ରଖିବା ଏବଂ ବାହାରକୁ ଯିବା ସମୟରେ ଜୋତା-ଚପଲ ପିନ୍ଧିବା ଭଳି ସ୍ୱାସ୍ଥ୍ୟକର ଅଭ୍ୟାସ ଆପଣାଇବା ପାଇଁ ଶପଥ ଗ୍ରହଣ କରାଯାଇଥିଲା।
ଏହି ସଭାରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ରମେଶ ଚନ୍ଦ୍ର ମଲ୍ଲିକ, ଏପିଡେମୋଲୋଜିଷ୍ଟ ଡ଼ା. ଜ୍ୟୋତି ରଞ୍ଜନ ରାଉତ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସଂଯୁକ୍ତା ପଣ୍ଡା, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା, ଆଶା-ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
