ବେତନଟୀରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା: ନର୍ଦ୍ଦମା ପାଣିରେ ଶ୍ରଦ୍ଧାଳୁ, ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ନହେବାରୁ ବଢ଼ୁଛି ଜନଅସନ୍ତୋଷ
ବେତନଟୀ (ନି ପ୍ର )୨୩/୭: ବେତନଟୀ ବ୍ଲକର ହେଡକ୍ୱାର୍ଟର ବେତନଟୀ ବଜାର ସମେତ ଆଖପାଖ ଗ୍ରାମାଞ୍ଚଳରେ ଦୀର୍ଘ ଦିନ ହେବ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ରଥଯାତ୍ରା ଓ ପରବର୍ତ୍ତୀ ସମୟରେ ବେତନଟୀ ହାଟ ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଗଢ଼ିଉଠିଥିବା ଅସ୍ଥାୟୀ ମାଉସୀ ମା’ ମନ୍ଦିରକୁ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ରାସ୍ତା ଉପରେ ଭସୁଥିବା ନର୍ଦ୍ଦମା ପାଣିରେ ଚାଲିଚାଲି ଯିବାକୁ ବାଧ୍ୟ ହେଉଛନ୍ତି। ଦୀର୍ଘବର୍ଷର ଅବହେଳା, ପ୍ରଶାସନିକ ସ୍ଥାଣୁତା ଏବଂ ସଫେଇ କାର୍ଯ୍ୟରେ ଅନିୟମିତତା ଯୋଗୁଁ ସମଗ୍ର ଅଞ୍ଚଳରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ପ୍ରାୟ ୨୫ ରୁ ୩୦ ବର୍ଷ ପୂର୍ବେ ବେତନଟୀ ବଜାର ଓ ସଂଲଗ୍ନ ଗ୍ରାମ୍ୟ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ଡ୍ରେନ୍ଗୁଡ଼ିକ ନିର୍ମାଣ କରାଯାଇଥିଲା। ତେବେ ଦୀର୍ଘ ବର୍ଷ ଧରି କୌଣସି ପୁନରୁଦ୍ଧାର କିମ୍ବା ରକ୍ଷଣାବେକ୍ଷଣ କରାଯାଇ ନଥିବାରୁ କେତେକ ସ୍ଥାନରେ ଡ୍ରେନ୍ ଭାଙ୍ଗିରୁଜି ଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ମାଟି ଓ ଆବର୍ଜନା ଜମି ସମ୍ପୂର୍ଣ୍ଣ ପୋତି ହୋଇଯାଇଛି। ନିକଟ ଅତୀତରେ ବେତନଟୀ-ବଡ଼ସାହି ପୂର୍ତ୍ତ ବିଭାଗ ରାସ୍ତା ସହ ବିଭିନ୍ନ ଗ୍ରାମ୍ୟ ରାସ୍ତାର ଉଚ୍ଚତା ବୃଦ୍ଧି କରାଯାଇଥିଲେ ହେଁ, ନିର୍ମାଣକାରୀ ସଂସ୍ଥା ଡ୍ରେନ୍ଗୁଡ଼ିକର ମରାମତି ପ୍ରତି ଦୃଷ୍ଟି ଦେଇନଥିଲେ। ଏହାସହ ନିୟମିତ ସଫେଇ ଓ ସଚେତନତା ଅଭାବରୁ ଲୋକମାନେ ଆବର୍ଜନା ପକାଇବାରୁ ସ୍ଥିତି ଆହୁରି ଜଟିଳ ହୋଇଛି। ଅନ୍ୟପଟେ, ରାଜ୍ୟରେ ନୂତନ ସରକାର ଗଠନ ପରେ ତୃଣମୂଳ ସ୍ତରରେ ରାଜନୈତିକ ଏବଂ ପ୍ରଶାସନିକ ସମନ୍ୱୟର ଅଭାବ ଦେଖାଦେଇଥିବା ଅଭିଯୋଗ ହେଉଛି। ପଞ୍ଚାୟତ ପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ଟାଣଓଟୋରା ଯୋଗୁଁ ଡ୍ରେନ୍ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସ୍ଥାନୀୟ ସଂଗଠନ ଓ ବୁଦ୍ଧିଜୀବୀମାନେ ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ପାଣ୍ଠି ଅଭାବର ବାହାନା ଦେଖାଇ ଦାୟିତ୍ୱ ଏଡ଼ାଇ ଦିଆଯାଉଥିଲା। ପୂର୍ବତନ ବେତନଟୀ ବିଡିଓ ସୁଶାନ୍ତ ସୂତାରଙ୍କ ସମୟରେ ଅର୍ଥ ହେରଫେର୍ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯିବା ପରେ, ସାମାଖୁଣ୍ଟା ବିଡିଓ ମୁନା ସେଠୀଙ୍କୁ ବେତନଟୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ବେତନଟୀ ବ୍ଲକ୍ ମିଡିଆ ଆସୋସିଏସନ୍ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ନୂତନ ବିଡିଓଙ୍କୁ ଭେଟି ସମସ୍ୟା ବାବଦରେ ଆଲୋଚନା କରିବା ପରେ ଡ୍ରେନ୍ ସଫେଇ କାମ ଆରମ୍ଭ ହୋଇଥିଲା। ମାତ୍ର ସମ୍ପୃକ୍ତ ଠିକାଦାର ନିଜ ମନମୁଖୀ ଭାବେ ନିମ୍ନମାନର ସଫେଇ କାର୍ଯ୍ୟ କରି ଚାଲିଯିବାରୁ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ। ଫଳରେ ଅସ୍ଥାୟୀ ମାଉସୀ ମା’ ମନ୍ଦିରଠାରୁ ମାତ୍ର ୫୦ ରୁ ୬୦ ଫୁଟ ଦୂରରେ ରାସ୍ତା ଉପରେ ନର୍ଦ୍ଦମା ପାଣି ଭସୁଛି। ଶ୍ରଦ୍ଧାଳୁଙ୍କ ସମେତ ସ୍ଥାନୀୟ ବ୍ୟବସାୟୀ ଓ ବାସିନ୍ଦା ଦୂଷିତ ପାଣି ଏବଂ ଦୁର୍ଗନ୍ଧ ମଧ୍ୟରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି, ଯାହା ସଂକ୍ରାମକ ରୋଗ ବ୍ୟାପିବାର ଭୟ ସୃଷ୍ଟି କରିଛି। ବେତନଟୀରେ ସଫେଇ ନାମରେ ହୋଇଥିବା ପ୍ରଶାସନିକ କୋହଳତା ଓ ନିମ୍ନମାନର କାର୍ଯ୍ୟ ଯୋଗୁଁ ଆଜି ଜନସାଧାରଣ ଓ ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ରୂପସୂତ୍ର ବାହାର କରିବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ। ନିମ୍ନମାନର ସଫେଇ କାର୍ଯ୍ୟ କରିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଡ୍ରେନ୍ଗୁଡ଼ିକର ପୁନରୁଦ୍ଧାର, ନିୟମିତ ସଫେଇ ଏବଂ ଜଳ ନିଷ୍କାସନର ଏକ ସ୍ଥାୟୀ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି ହେଉଛି।
