ବିଶୋଇରେ ଅମାନୁଷିକ କାଣ୍ଡ
ମୟୁରଭଞ୍ଜ, ବିଶୋଇ :-ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ ଆସିଛି ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ହୃଦୟବିଦାରକ ଘଟଣା। ଚୋକଲେଟ୍ ଲୋଭ ଦେଖାଇ ମାତ୍ର ସାଢ଼େ ଚାରି ବର୍ଷର ଏକ ନାବାଳିକା ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ସାଢ଼େ ଚାରି ବର୍ଷର ଏହି ଶିଶୁକନ୍ୟାଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଥିବା ସମୟରେ, ଗ୍ରାମର ଚମକା ପାଲେୟା ନାମକ ଜଣେ ଯୁବକ ତାକୁ ଚୋକଲେଟ୍ ଦେବାର ପ୍ରଲୋଭନ ଦେଖାଇ ଅଙ୍ଗନବାଡି ରୁ ନିଜ ଘରକୁ ଡାକି ନେଇଥିଲା। ସେଠାରେ ନାବାଳିକା ଜଣଙ୍କୁ ଅସଦାଚରଣ ଓ ଦୁଷ୍କର୍ମ କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଘଟଣା ପରେ ଶିଶୁଟି ନିଜ ଘରକୁ ଯାଇ ନିଜ ମାଆଙ୍କୁ ସମସ୍ତ କଥା ଜଣାଇଥିଲା। ଏହାପରେ ଗାଁରେ ଏକ କ୍ଷମାପ୍ରାର୍ଥନା କିମ୍ବା ମଧ୍ୟସ୍ଥତା ବୈଠକ ବସିଥିଲା, ଯେଉଁଥିରେ ଅଭିଯୁକ୍ତ ଚମକା ପାଲେୟା ନିଜର ଦୋଷ ସ୍ୱୀକାର କରିଥିବା ଜଣାପଡିଛି।
ଗ୍ରାମରେ ବୈଠକ ପରେ ପୀଡ଼ିତାଙ୍କ ମାଆ ସିଧାସଳଖ ବିଶୋଇ ଥାନାରେ ପହଞ୍ଚି ଏକ ଲିଖିତ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ବିଶୋଇ ଥାନା ପୋଲିସ ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି
ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତକୁ ୧୬୪/୨୬ ଧାରା ଅନୁଯାୟୀ ପୋକ୍ସୋ (POCSO) କୋର୍ଟକୁ ଚାଲାଣ କରାଗଲା ବୋଲି ବିଶୋଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ଏଭଳି ଜଘନ୍ୟ ଅପରାଧକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଏବଂ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ, ଅଭିଯୁକ୍ତ ପାଇଁ କଠିନରୁ କଠିନତମ ଦଣ୍ଡର ଦାବି କରିଛନ୍ତି ସ୍ଥାନୀୟ ଲୋକେ।
ମୟୁରଭଞ୍ଜ ରୁ ମୋନାଲି ସାହୁଙ୍କ ସହିତ ସୁନୀଲ ମହାପାତ୍ର ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
