କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ହୋଷ୍ଟେଲରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଛି । ୧୯ ଜଣ ଛାତ୍ରୀ ଡାଇରିଆରେ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି ।
କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ହଷ୍ଟେଲରେ ଡାଇରିଆ ଆତଙ୍କ: ୧୯ ଛାତ୍ରୀ ଆକ୍ରାନ୍ତ,
ମୟୁରଭଞ୍ଜ, ରାଇରଙ୍ଗପୁର :-ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ସରଗଡ଼ା ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହୋଷ୍ଟେଲରୁ ଆସିଛି ଏହି ଘଟଣା । ବିଦ୍ୟାଳୟରେ ଡାଇରିଆ କାୟା ବିସ୍ତାର କରିଥିବା ଦେଖିବାକୁ ମିଳିଛି । ଦୂଷିତ ଜଳ କିମ୍ବା ଖାଦ୍ୟ ଜନିତ କାରଣରୁ ବିଦ୍ୟାଳୟରେ ଡାଇରିଆ ବ୍ୟାପିଥିବା ସନ୍ଦେହ କରା ଯାଉଥିବା ବେଳେ ଏହାକୁ ନେଇ ପୂର୍ଣ୍ଣେଶ୍ବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ମୁତାବକ, ଆଜି ବିଦ୍ୟାଳୟର ୩୦ରୁ ଉର୍ଦ୍ଧ୍ବ ବାଳିକା ଡାଇରିଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସନ୍ଧ୍ୟା ସମୟରେ ଖବର ପାଇବା ମାତ୍ରେ ବିଜାତଳା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତୁରନ୍ତ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ହୋଷ୍ଟେଲରେ ପହଞ୍ଚିଛନ୍ତି । ମେଡିକାଲ ଟିମ୍ ହୋଷ୍ଟେଲରେ ଅସ୍ଥାୟୀ ଭାବେ କିଛି ଆକ୍ରାନ୍ତ ଛାତ୍ରୀମାନଙ୍କର ପ୍ରାଥମିକ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରଖିଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବିଳମ୍ବ ନକରି ତୁରନ୍ତ ରାଇରଙ୍ଗପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କୁ ସ୍ୱତନ୍ତ୍ର ନଜରରେ ରଖି ଚିକିତ୍ସା ପ୍ରଦାନ କରାଯାଉଛି ।
ବର୍ତ୍ତମାନ ସ୍କୁଲର ଅନ୍ୟ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୀକ୍ଷ୍ଣ ନଜର ରଖିଛି । ସୁସ୍ଥ ଥିବା ଅନ୍ୟ ଛାତ୍ରୀମାନେ ଯେପରି ଡାଇରିଆରେ ଆକ୍ରାନ୍ତ ନ ହୁଅନ୍ତି, ସେଥିପାଇଁ ଖାଦ୍ୟ ଓ ପାନୀୟକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ଖବର ପାଇ ବିଜାତଳା ବିଡିଓ ବଂଶୀଧର ଖୋସଲା ଓ ବିଇଓ ଦିଲୀପ କୁମାର ନନ୍ଦ ରାଇରଙ୍ଗପୁର ମେଡିକାଲରେ ପହଞ୍ଚି ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ ।
ଏ ସମ୍ପର୍କରେ ବିଜତଳା ବ୍ଲକ ବିଇଓ ଦିଲ୍ଲୀପ କୁମାର ନନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତି, “ଆଜି ସନ୍ଧ୍ୟା ସମୟରେ କେଜିବିବି ପୂର୍ଣ୍ଣେଶ୍ବରରେ ଛାତ୍ରୀ ମାନଙ୍କର ଝାଡ଼ା ହେବାର ଖବର ପାଇବା ପରେ ତୁରନ୍ତ ଦୁଇଟି ଗାଡ଼ି ଯୋଗେ ୧୯ ଜଣଙ୍କୁ ରାଇରଙ୍ଗପୁର ମେଡିକାଲ ଅଣା ଯାଇଥିଲା । ରାଇରଙ୍ଗପୁର ମେଡିକାଲରେ ସମସ୍ତଙ୍କର ଚିକିତ୍ସା ଜାରି ରହିଛି । ସମସ୍ତଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି । ମେଡିକାଲ ଟିମ ମଧ୍ୟ ହୋଷ୍ଟେଲରେ ପହଞ୍ଚି ଆକ୍ରାନ୍ତ ଛାତ୍ରୀ ମାନଙ୍କର ଚିକିତ୍ସା ଓ ସ୍ବାସ୍ଥ୍ୟ ପରୀକ୍ଷା ଜାରି ରଖିଛନ୍ତି ।”
ମୟୁରଭଞ୍ଜ ରୁ ମୋନାଲି ସାହୁଙ୍କ ସହ ରାଇରଙ୍ଗପୁର ରୁ ସୁନୀଲ ମହାପାତ୍ର ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
