*ସିନାପାଲି ଥାନାର ନବନିଯୁକ୍ତ ଆଇ.ଆଇ.ସି. ମହେଶ୍ୱର ପାଣିଗ୍ରାହୀଙ୍କୁ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା* ନୂଆପଡା(ମିଖାଏଲ ନନ୍ଦ)
ତା-୧୭/0୭
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସିନାପାଲି ବ୍ଲକ ର ଥାନାରେ ନବନିଯୁକ୍ତ ଆଇ.ଆଇ.ସି. (IIC) ମହେଶ୍ୱର ପାଣିଗ୍ରାହୀଙ୍କୁ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ପକ୍ଷରୁ ଏକ ସୌଜନ୍ୟମୂଳକ ସାକ୍ଷାତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଂଘର ସଦସ୍ୟମାନେ ନୂତନ ଆଇ.ଆଇ.ସି.ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ।ଏହି ଅବସରରେ ସଂଘର ସଦସ୍ୟମାନେ ଆଇ.ଆଇ.ସି.ଙ୍କ ସହ ସିନାପାଲି ଅଞ୍ଚଳର ବିଭିନ୍ନ ଜନସ୍ୱାର୍ଥ ସମ୍ପର୍କିତ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶେଷ କରି ସ୍ଥାନୀୟ ଅଞ୍ଚଳରେ ଆଇନ-ଶୃଙ୍ଖଳା ସୁଦୃଢ଼ କରିବା, ଅପରାଧ ନିୟନ୍ତ୍ରଣ, ସଡ଼କ ସୁରକ୍ଷା ବ୍ୟବସ୍ଥା ଏବଂ ସାଧାରଣ ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ଦିଗରେ ଆଲୋଚନା ହୋଇଥିଲା। ସାମ୍ବାଦିକ ଓ ପୋଲିସ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ପରସ୍ପର ସହଯୋଗ ମାଧ୍ୟମରେ ସମାଜର ହିତ ପାଇଁ କାର୍ଯ୍ୟ କରିବାକୁ ସଂଘ ପକ୍ଷରୁ ମତ ପ୍ରକାଶ ପାଇଥିଲା।ଆଇ.ଆଇ.ସି. ମହେଶ୍ୱର ପାଣିଗ୍ରାହୀ ସାମ୍ବାଦିକ ସଂଘର ଏହି ସୌଜନ୍ୟମୂଳକ ସାକ୍ଷାତ ପାଇଁ କୃତଜ୍ଞତା ଜଣାଇବା ସହ ଜନସାଧାରଣଙ୍କ ସେବାକୁ ସର୍ବାଧିକ ଗୁରୁତ୍ୱ ଦେବେ ବୋଲି କହିଥିଲେ। ସେ ନିରପେକ୍ଷ ଓ ସ୍ୱଚ୍ଛ ପୋଲିସ ବ୍ୟବସ୍ଥା ମାଧ୍ୟମରେ ଆଇନର ଶାସନ ପ୍ରତିଷ୍ଠା କରିବେ ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ସଦା ତତ୍ପର ରହିବେ ବୋଲି ପ୍ରକାଶ କରିଥିଲେ। ଏଥିସହିତ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ ସାମ୍ବାଦିକ ସଂଘର ବ୍ୟୁରୋଚିଫ ଜଗନ୍ନାଥ ସାଗର, ସଭାପତି ଦିଗ୍ବୀରାଜ ତାଣ୍ଡି, ଉପ-ସଭାପତି ଚିନ୍ତାମଣି ନେତାମ, ସମ୍ପାଦକ ରାକେଶ ଗହୀର, କୋଷାଧ୍ୟକ୍ଷ ବନ ମେହେରଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତେ ନବନିଯୁକ୍ତ ଆଇ.ଆଇ.ସି.ଙ୍କ ସଫଳ କାର୍ଯ୍ୟକାଳ କାମନା କରିବା ସହ ସିନାପାଲି ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ପ୍ରଗତି ଆହୁରି ସୁଦୃଢ଼ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
