କୁକୁଡା ଫାର୍ମକୁ ଗ୍ରମାବାସୀଙ୍କ ବିରୋଧ: ଫାର୍ମ ମାଲିକ ଙ୍କ ବିରୋଧରେ ଏତଲା ଦେଲେ ତହସିଲଦାର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ବ୍ଲକ କୁଡେଇ ଗ୍ରାମରେ ଥିବା ଏକ କୁକୁଡା ଫାର୍ମକୁ ଗ୍ରମାବାସୀମାନେ ବିରୋଧ କରିବା ପରେ ସୋର ତହସିଲଦାରଙ୍କ ତରଫରୁ କୁକୁଡା ଫାର୍ମର ମାଲିକଙ୍କ ନାମରେ ସୋର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଅଭିଯୋଗ ମୁତାବକ ; କୁଡେଇ ଗ୍ରାମର ବସନ୍ତ ଦାସ ନିଜ ଘର ନିକଟରେ ଏକ କୁକୁଡା ଫାର୍ମ କରିଛନ୍ତି। କୁକୁଡା ଫାର୍ମଟି ଗ୍ରାମ ମଝିରେ ହୋଇଥିବାରୁ ଦୁର୍ଗନ୍ଧ ସାଙ୍ଗକୁ ଅସ୍ୱାସ୍ଥ୍ୟକର ପରିବେଶରେ ଗ୍ରାମବାସୀମାନେ ଅତିଷ୍ଠ ହୋଇ ଦିନ କାଟୁଥିବା ନେଇ ଗତ ମାର୍ଚ ମାସରେ ସୋର ତହସିଲଦାର ଓ ସୋର ଥାନାରେ ଅଭିଯୋଗ କରିଥିଲେ। ପରେ ଏପ୍ରିଲ ମାସରେ ଉପ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗରେ ଅଭିଯୋଗ କରିବା ପରେ ଉପ ଜିଲ୍ଲାପାଳଙ୍କ ନିର୍ଦେଶରେ ତହସିଲ ପକ୍ଷରୁ ତଦନ୍ତ କରାଯାଇଥିଲା। ଏନେଇ ଆଜି ସୋର ତହସିଲଦାର କୃଷ୍ଣ ମୋହନ ସିଂହ ସୋର ଥାନାରେ କୁକୁଡା ଫାର୍ମର ମାଲିକ ବସନ୍ତ ଦାସଙ୍କ ନାମରେ ଅଭିଯୋଗ କରିଥିବା ଜଣାପଡିଛି।
