ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ) : ବିଶ୍ୱ ରକ୍ତଦାତା ଦିବସ ଅବସରରେ ରାଜ୍ୟ ତଥା ଜିଲ୍ଲାରେ ରକ୍ତଦାନ ଶିବିର ମାଧ୍ୟମରେ ଏକ କାଳୀନ ରେକର୍ଡ଼ ସଂଖ୍ୟକ ରକ୍ତ ସଂଗ୍ରହ ପାଇଁ ରାଜ୍ୟ ତଥା ସୋରର ଅଗ୍ରଣୀ ସାମାଜିକ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦକୁ ଉଭୟ ଭୁବନେଶ୍ୱର ଓ ବାଲେଶ୍ୱରରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ରେଡ଼କ୍ରସ କେନ୍ଦ୍ରରେ ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ଶାଖା ଦ୍ୱାରା ଏହି ସମ୍ମାନ ମିଳିଛି। ସେହିପରି ବାଲେଶ୍ୱର ରେମୁଣା ଠାରେ ଓଡ଼ିଶା ରକ୍ତଦାତା ସଂଘ ତରଫରୁ ଅନୁରୂପ ଭାବେ ଉକ୍ତ ଦିନ ସମ୍ମାନିତ କରାଯାଇଥିଲା। ସୂଚନା ଯୋଗ୍ୟ କି ଆଦର୍ଶ ଯୁବ ପରିଷଦ ସୋର ଦୁଇ ବର୍ଷ ଧରି କ୍ରମାନ୍ୱୟରେ ୭୬୫ ଏବଂ ୮୫୩ ରକ୍ତ ୟୁନିଟ ସଂଗ୍ରହ କରି ଜିଲ୍ଲା ତଥା ରାଜ୍ୟରେ ରକ୍ତଦାନ କ୍ଷେତ୍ରରେ ସୋର ପାଇଁ ଦୁଇ ଥର ରେକର୍ଡ଼ ହାସଲ କରିଛନ୍ତି। ଖାଲି ରକ୍ତଦାନ ନୁହଁ ପ୍ରତେକ ଦିନ ବାଲେଶ୍ୱର, କଟକ, ଭୁବନେଶ୍ୱରରେ ବିଭିନ୍ନ ରୋଗୀ ମାନଙ୍କ ପାଇଁ ପାଖାପାଖି ୧୦ ଟି ରକ୍ତ ସଂଗ୍ରହ କରି ଯୋଗାଇ ଦିଆଯାଉଛି ଏବଂ ଆଗାମୀ ଦିନରେ ସୋରରେ ଏକ ରକ୍ତ ଭଣ୍ଡାର ପ୍ରତିଷ୍ଠା ପାଇଁ ଆଦର୍ଶ ଯୁବ ପରିଷଦ ପ୍ରତିବଦ୍ଧ ବୋଲି ପରିଷଦର ସଭାପତି ପୃଥିବୀ ରଞ୍ଜନ ବେହେରା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
