ମୟୂରଭଞ୍ଜରେ ଓମ୍ବୁଡସ୍ପର୍ସନ୍ ଆଦେଶ ପରେ ମଧ୍ୟ ରିକଭରି କାହିଁକି ଅଟକି ରହିଲା? ପ୍ରଶାସନିକ ଅବହେଳା ନା ରାଜନୈତିକ ଚାପ?
ବେତନଟୀ (ନି ପ୍ର )୮/୭: ମୟୂରଭଞ୍ଜ ଜିଲ୍ଲାର ଅଗ୍ରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏକ ବ୍ୟକ୍ତିଗତ ଫାର୍ମ ପଣ୍ଡ କାର୍ଯ୍ୟରେ ମେସିନ୍ ବ୍ୟବହାର, ଜାଲ୍ ମଷ୍ଟର ରୋଲ୍ ଏବଂ ନିୟମ ଉଲଙ୍ଘନ କରି ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ଓମ୍ବୁଡସ୍ପର୍ସନ୍ (ଏମ୍ଜିଏନ୍ଆର୍ଇଜିଏ) ଦ୍ୱାରା ପ୍ରାୟ ଏକ ବର୍ଷ ପୂର୍ବେ ଦିଆ ହୋଇଥିବା ଆଦେଶ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ରିକଭରି ପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ପ୍ରଶାସନିକ ସ୍ତରରେ କୌଣସି ସ୍ପଷ୍ଟ କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ସ୍ଥାନୀୟ ସ୍ତରରେ ପ୍ରଶ୍ନ ଉଠୁଛି।
ଓମ୍ବୁଡସ୍ପର୍ସନ୍ (ଏମ୍ଜିଏନ୍ଆର୍ଇଜିଏ), ମୟୂରଭଞ୍ଜଙ୍କ ଆଦେଶ ନମ୍ବର ୦୧/୨୦୨୫-୨୬ ଅନୁଯାୟୀ, ଏପ୍ରିଲ୍ ୮, ୨୦୨୫ ତାରିଖରେ ଦିଆ ହୋଇଥିଲା। ଏହି ଆଦେଶରେ ଓ୍ୱାଟର୍ସେଡ୍ସ ପ୍ରୋଜେକ୍ଟ ଡାଇରେକ୍ଟର, ମୟୂରଭଞ୍ଜଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ କାର୍ଯ୍ୟ କୋଡ୍-୨୪୦୪୦୪୮/ଆଇଏଫ୍/୧୦୮୨୭୭୧୧ ଅନ୍ତର୍ଗତ ଫାର୍ମ ପଣ୍ଡ କାର୍ଯ୍ୟରେ ଅନିୟମିତତା ପାଇଁ ଖର୍ଚ୍ଚ ହୋଇଥିବା ୧,୩୬,୯୯୫ ଟଙ୍କା ସହିତ ଜଡିତ କର୍ମଚାରୀଙ୍କଠାରୁ ଆଦାୟ କରି ଏସ୍ଇଜିଏଫ୍ ଖାତାକୁ ଜମା କରିବା, ପ୍ରଭାବିତ ଜମିକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ଏବଂ ଜଡିତ ଅଧିକାରୀ-କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା। ଏହି ସମସ୍ତ କାର୍ଯ୍ୟ ତିନି ମାସ ଭିତରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଅଭିଯୋଗକାରୀ ଶିଶିର କୁମାର ଦାଶ ଏବଂ ଲାଭାର୍ଥୀ ବିନୋଦ କୁମାର ଶର୍ମାଙ୍କ ଅଭିଯୋଗ ଅନୁଯାୟୀ, କାର୍ଯ୍ୟସ୍ଥଳରେ ସିଟିଜେନ୍ ଇନଫର୍ମେସନ୍ ବୋର୍ଡ୍ ନ ଲଗାଇବା, ପ୍ରଥମ ଜିଓ-ଟ୍ୟାଗିଙ୍ଗ୍ ନ କରିବା, କୁଶଳୀ ଶ୍ରମିକ, ଅଣକୁଶଳୀ ଶ୍ରମିକଙ୍କ ପରିବର୍ତ୍ତେ ମେସିନ୍ (ଜେସିବି) ବ୍ୟବହାର ଏବଂ ଜାଲ୍ ମଷ୍ଟର ରୋଲ୍ ମାଧ୍ୟମରେ ଟଙ୍କା ବଣ୍ଟନ କରାଯାଇଥିଲା। ଓମ୍ବୁଡସ୍ପର୍ସନ୍ ଙ୍କ ଫିଲ୍ଡ ଯାଞ୍ଚରେ ଶ୍ରମିକଙ୍କ ସ୍ୱାକ୍ଷର ଜାଲିଆତି, ଅନୁମୋଦିତ ନକ୍ସା ଅନୁଯାୟୀ ପୋଖରୀ ବା ପଣ୍ଡ ନ ଖୋଳାଯିବା ଏବଂ ମେସିନ୍ ବ୍ୟବହାରର ପ୍ରମାଣ ମିଳିଥିଲା। ଏହି ଆଦେଶ ପ୍ରିନ୍ସିପାଲ୍ ସେକ୍ରେଟାରୀ, ପିଆର୍ ଓ ଡବ୍ଲୁ ବିଭାଗ, କଲେକ୍ଟର-କମ୍-ଡିପିସି ଏବଂ ସିଡିଓ-କମ୍-ଇଓ, ଜିଲ୍ଲା ପରିଷଦଙ୍କୁ ମଧ୍ୟ ପଠାଯାଇଥିଲା।
ତଥାପି ଜୁଲାଇ ୨୦୨୬ ପର୍ଯ୍ୟନ୍ତ ରିକଭରି କାର୍ଯ୍ୟ ଆରମ୍ଭ ହୋଇନଥିବା ସୂଚନା ମିଳୁଛି। ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ ପ୍ରଶାସନିକ ସ୍ତରରେ କେତେକ ଅଧିକାରୀଙ୍କ ଅବହେଳା ଏବଂ ସ୍ଥାନୀୟ ବିଧାୟକଙ୍କ ସମ୍ଭାବ୍ୟ ଚାପ ଯୋଗୁଁ ଏହି ପ୍ରକ୍ରିୟା ବିଳମ୍ବିତ ହେଉଛି। ଲାଭାର୍ଥୀ ବିନୋଦ କୁମାର ଶର୍ମା ଏବଂ ଅନ୍ୟ ଅଭିଯୋଗକାରୀମାନେ ପୁନର୍ବାର ଅଧିକାରୀଙ୍କ ଦ୍ୱାରସ୍ଥ ହେବେକୁ ସଜବାଜ ହେଉଥିବା ଜଣାପଡ଼ିଛି। ଏମ୍ଜିଏନ୍ଆର୍ଇଜିଏ ଭଳି ଗରିବ କଲ୍ୟାଣ କାରି ଯୋଜନାରେ ଅନିୟମିତତା ଏବଂ ଦୁର୍ନୀତି ସମଗ୍ର ପ୍ରଶାସନିକ ବ୍ୟବସ୍ଥାର ବିଶ୍ୱାସଯୋଗ୍ୟତାକୁ ପ୍ରଭାବିତ କରେ। ଓମ୍ବୁଡସ୍ପର୍ସନ୍ ଙ୍କ ଆଦେଶ କାର୍ଯ୍ୟକାରୀ ନ ହେବା କେବଳ ଏକ ବ୍ୟକ୍ତିଗତ ଘଟଣା ନୁହେଁ, ବରଂ ସରକାରୀ ଯୋଜନାର ସଫଳତା ଏବଂ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଛି। ଜିଲ୍ଲା ପ୍ରଶାସନ ଏବଂ ଉଚ୍ଚ ଅଧିକାରୀଙ୍କ ସ୍ତରରେ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ରିକଭରି ପ୍ରକ୍ରିୟା ଆରମ୍ଭ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ନହେଲେ ଏପରି ଘଟଣା ଗରିବ ଲୋକଙ୍କ ମଧ୍ୟରେ ସରକାରୀ ଯୋଜନା ପ୍ରତି ଅବିଶ୍ୱାସ ବଢ଼ାଇବ।
