୧୦ ଦିନରେ ଭୁଶୁଡ଼ିଲା ସ୍କୁଲ ପାଚେରୀ,ନିମ୍ନମାନର କାମ ଅଭିଯୋଗ।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆବଗ ପଞ୍ଚାୟତର ଦେବାହାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିର୍ମିତ ପାଚେରୀ କାନ୍ଥ ନିର୍ମାଣର ମାତ୍ର ୧୦ ଦିନ ମଧ୍ୟରେ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ଉଠିଛି। ପ୍ରାୟ ୪ ଲକ୍ଷରୁ ଟଙ୍କା ବ୍ୟୟରେ ନିର୍ମିତ ଏହି ପାଚେରୀରେ ନିମ୍ନମାନର କାମ ହୋଇଥିବା ସହ କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକ ଲଗାଯାଇନଥିବା ଅଭିଯୋଗ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ,ପାଚେରୀଟି ବିଦ୍ୟାଳୟ ପରିସର ବାହାର ପଟକୁ ଭୁଶୁଡ଼ି ପଡ଼ିଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି। ଯଦି ଏହା ବିଦ୍ୟାଳୟ ପରିସର ଭିତରକୁ ଭାଙ୍ଗି ପଡ଼ିଥାନ୍ତା,ତେବେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରୁଥାନ୍ତା ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ,ଏହି କାର୍ଯ୍ୟର ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦୀପାଞ୍ଜଳୀ ନାଏକ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ସଦାନନ୍ଦ ସଚ୍ଚିଦାନନ୍ଦ ( S S) ମାଦେଳିଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ,ପାଚେରୀ ନିର୍ମାଣରେ କୌଣସି ଅନିୟମିତତା କିମ୍ବା ନିମ୍ନମାନର କାମ ହୋଇଥିଲେ ଏହାର ଉଚ୍ଚସ୍ତରୀୟ କିମ୍ବା ଭିଜିଲାନ୍ସ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନାନୁଗ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
