ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଜୁଲାଇ ୧୮ରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଲୋକ ଅଦାଲତ : ଏନ୍.ଆଇ. ଆକ୍ଟ, ୧୮୮୧ ମାମଲାର ସହଜ ଓ ଶୀଘ୍ର ସମାଧାନର ସୁବର୍ଣ୍ଣ ସୁଯୋଗ
ବ୍ରହ୍ମପୁର, ଜୁଲାଇ : ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଞ୍ଜାମଙ୍କ ପକ୍ଷରୁ ଆସନ୍ତା ୧୮ ଜୁଲାଇ ୨୦୨୬ (ଶନିବାର) ଦିନ ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ପରକ୍ରାମ୍ୟ ଦଲିଲ ଆଇନ, ୧୮୮୧ (Negotiable Instruments Act, 1881) ଅନ୍ତର୍ଗତ, ବିଶେଷତଃ ଚେକ୍ ବାଉନ୍ସ (Cheque Bounce) ସମ୍ବନ୍ଧୀୟ ମାମଲାଗୁଡ଼ିକର ଆପୋଷ ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ (Special Lok Adalat) ଆୟୋଜନ କରାଯାଉଛି। ଏହି ସ୍ୱତନ୍ତ୍ର ଲୋକ ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ଏନ୍.ଆଇ. ଆକ୍ଟ ଅଧୀନ ମାମଲାଗୁଡ଼ିକର ପରସ୍ପର ଆଲୋଚନା, ଆପୋଷ ବୁଝାମଣା ଓ ସହମତି ମାଧ୍ୟମରେ ଶୀଘ୍ର, ସରଳ ଓ ସ୍ଥାୟୀ ସମାଧାନ କରିବା। ଏହାଦ୍ୱାରା ମାମଲାକାରୀମାନେ ଦୀର୍ଘ ନ୍ୟାୟିକ ପ୍ରକ୍ରିୟା, ଅଧିକ ଖର୍ଚ୍ଚ ଓ ସମୟରୁ ମୁକ୍ତି ପାଇବା ସହିତ ପାରସ୍ପରିକ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରିପାରିବେ।
ଲୋକ ଅଦାଲତରେ ହୋଇଥିବା ଆପୋଷ ସମାଧାନକୁ ଆଇନଗତ ସ୍ୱୀକୃତି ମିଳିଥାଏ ଏବଂ ଏହାର ରାୟ ଏକ ସାଧାରଣ ସିଭିଲ କୋର୍ଟର ଡିକ୍ରି ସହ ସମାନ ଭାବରେ ବଳବତ୍ତର ହୋଇଥାଏ। ଏହି ନିଷ୍ପତ୍ତି ବିରୋଧରେ ସାଧାରଣତଃ କୌଣସି ଅପିଲର ସୁଯୋଗ ନଥିବାରୁ ଉଭୟ ପକ୍ଷ ଶୀଘ୍ର ଓ ଚୂଡ଼ାନ୍ତ ସମାଧାନ ପାଇପାରନ୍ତି। ତଦୁପରି, ଲୋକ ଅଦାଲତରେ ସମାଧାନ ହୋଇଥିବା ମାମଲାରେ ଆଇନ ଅନୁଯାୟୀ କୋର୍ଟ ଫି ଫେରସ୍ତ ପାଇବାର ମଧ୍ୟ ବ୍ୟବସ୍ଥା ରହିଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ଏନ୍.ଆଇ. ଆକ୍ଟ, ୧୮୮୧ ଅନ୍ତର୍ଗତ ମାମଲାରେ ସମ୍ପୃକ୍ତ ମାମଲାକାରୀ, ଅଭିଯୁକ୍ତ, ଅଧିବକ୍ତା, ବ୍ୟାଙ୍କ ଅଧିକାରୀ ଏବଂ ସମସ୍ତ ସଂପୃକ୍ତ ପକ୍ଷଙ୍କୁ ଏହି ସ୍ୱତନ୍ତ୍ର ଲୋକ ଅଦାଲତର ସୁଯୋଗର ସଦ୍ବ୍ୟବହାର କରି ପରସ୍ପର ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରିବାକୁ ଅନୁରୋଧ କରାଯାଇଛି। ବିଚାରାଧୀନ ଚେକ୍ ବାଉନ୍ସ ମାମଲାର ଶୀଘ୍ର ସମାଧାନ ନ୍ୟାୟାଳୟର ମାମଲା ଭାର ହ୍ରାସ କରିବା ସହିତ ସାଧାରଣ ଲୋକଙ୍କୁ ସୁଲଭ, ସୁଗମ ଓ ଶୀଘ୍ର ନ୍ୟାୟ ପ୍ରଦାନ କରିବାରେ ସହାୟକ ହେବ। ଏହି ପରିପ୍ରେକ୍ଷୀରେ ଡିଏଲଏସଏ, ଗଞ୍ଜାମ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଆଗେଇ ଆସି ଲୋକ ଅଦାଲତ ମାଧ୍ୟମରେ ବିବାଦର ସୌହାର୍ଦ୍ୟପୂର୍ଣ୍ଣ ସମାଧାନ କରିବାକୁ ଆହ୍ୱାନ ଜଣାଇଛି।
