ହାଡସଂହାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ
ଦେବଗଡ଼: ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଉଟୁଣିଆଁ ପଞ୍ଚାୟତର ହାଡସଂହାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ–୨୦୨୬ ଅବସରରେ ଶନିବାର ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଧିରେନ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଳସମା ଫରେଷ୍ଟର ହେମନ୍ତ ବାରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉଟୁଣିଆଁ ସିଆର୍ସିସି ପବିତ୍ର ମୋହନ ପେଣ୍ଠେଇ, ଯୁବ ସାମ୍ବାଦିକ ନିଲେଶ ଅନିରୁଦ୍ଧ ନାୟକ, ସମାଜସେବୀ ପାଣ୍ଡବ ସେଠୀ ଓ ଭୋଳେଶ୍ୱର ସାହୁ, ଲକ୍ଷ୍ମୀପୁରର ଫରେଷ୍ଟ ଗାର୍ଡ, ବ୍ରାହ୍ମଣୀପାଲିର ବନରକ୍ଷୀ ମାମାଶ୍ରୀ ପ୍ରଧାନ, ପଳସମାର ବନରକ୍ଷୀ ରୀତା ବାଘ, ଯୁବ ସାମ୍ବାଦିକ ସୁରେଶ ନାୟକ, ପଳସମା ସେକ୍ସନର ସମସ୍ତ ସ୍କ୍ୱାଡ୍ ସଦସ୍ୟ, ହାଡସଂହା ଗ୍ରାମ ବନ ସୁରକ୍ଷା ସମିତିର ସଭାପତି ଭୁବନେଶ୍ୱର ଲହରା, ଗଜସାଥୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ଧିରେନ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୃକ୍ଷରୋପଣର ଆବଶ୍ୟକତା ଏବଂ ପରିବେଶ ସନ୍ତୁଳନ ରକ୍ଷାରେ ବୃକ୍ଷର ଅପରିହାର୍ଯ୍ୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଯୁବ ସାମ୍ବାଦିକ ନିଲେଶ ଅନିରୁଦ୍ଧ ନାୟକ “ଗୋଟିଏ ମଣିଷ–ଗୋଟିଏ ଗଛ” ବାର୍ତ୍ତା ଦେଇ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ କରିଥିଲେ। ମୁଖ୍ୟ ଅତିଥି ହେମନ୍ତ ବାରିହା ମଧ୍ୟ ପରିବେଶ ସୁରକ୍ଷାରେ ବୃକ୍ଷରୋପଣର ଗୁରୁତ୍ୱ ଉପରେ ମତ ରଖି ଅଧିକରୁ ଅଧିକ ଚାରାରୋପଣ କରିବାକୁ ସମସ୍ତଙ୍କୁ ପ୍ରେରିତ କରିଥିଲେ।
ପରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀ ଓ ଅତିଥିମାନେ ଲିଫଲେଟ୍, ପ୍ଲାକାର୍ଡ ଓ ବ୍ୟାନର ଧରି ହାଡସଂହା ଗ୍ରାମରେ ଏକ ସଚେତନତା ରାଲି କରିଥିଲେ। ରାଲି ମାଧ୍ୟମରେ “ଏକ ବ୍ୟକ୍ତି–ଏକ ଗଛ” ବାର୍ତ୍ତା ପ୍ରଚାର ସହ ଅଧିକରୁ ଅଧିକ ବୃକ୍ଷରୋପଣ, ପରିବେଶ ପ୍ରଦୂଷଣ ରୋକିବା ଏବଂ ସବୁଜ ପରିବେଶ ଗଠନରେ ସମସ୍ତଙ୍କ ସକ୍ରିୟ ସହଭାଗିତା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।
ଶେଷରେ ଭୋଳେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମର ସମାପନ ଘୋଷଣା କରାଯାଇଥିଲା।
ଦେବଗଡ଼ରୁ ସୁରେଶ ମାଝୀଙ୍କ ରିପୋର୍ଟ।
