ନିଶା ମୁକ୍ତ ଓଡିଶା ଅଭିଯାନ ସୋରରେ ପାଳିତ
ସୋର (ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର, ଭଞ୍ଜଦୂତ)::: ଓଡିଶା ପୋଲିସ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଜୁଲାଇ ୦୧ ତାରିଖରେ ନିଶା ମୁକ୍ତ ଓଡ଼ିଶା ଅଭିଯାନରେ ଯୋଗ ଦେଲେ ତିନି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ। ସୂଚନା ଅନୁସାରେ ସୋର ଥାନା ମାଣତ୍ରୀ ପଞ୍ଚାୟତ ବଳିବାଡ଼ରେ ଥିବା ଉତ୍କଳ ଏନଭିରୋ କେୟାର ଠାରେ ଓଡିଶା ପୋଲିସ ପକ୍ଷରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ନିଶା ମୁକ୍ତି ଅଭିଯାନର ବାର୍ତ୍ତା ଦେବା ସଂଗେସଂଗେ ଓଡ଼ିଶାର ବିଭିନ୍ନ ଥାନା ଦ୍ୱାରା ଜବତ ହୋଇଥିବା ନିଶା ସାମଗ୍ରୀକୁ ନଷ୍ଟ କରିବା ପାଇଁ ବାର୍ତ୍ତା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସୋର ଠାରେ ତିନି ଜିଲ୍ଲା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଯଥା କ୍ରମେ,ବରୁଣ ଗୁଣ୍ଟୁପାଲି , ପ୍ରତ୍ୟୁଷ ଦିବାକର, ମନୋଜ ରାଉତ, ବାଲେଶ୍ୱର ଅବକାରୀ ଅଧିକ୍ଷକ ସେକ ଆସିଫ ଅଲ୍ଲୀ, ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁର,ବାଲେଶ୍ୱର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଜ୍ୟୋତି ଦାଶ, ବାଲେଶ୍ୱର ଜିଲ୍ଲାର ଡ଼ିଏସପି (କ୍ରାଇମ) ତପସ୍ୱିନୀ କଅଁରଙ୍କ ସହ ବାଲେଶ୍ୱର ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ , ସୋର ଥାନାଧିକାରୀ ଦେବରାଜ ଜେନା ପ୍ରମୁଖ ଉପସ୍ଥିତ ରହି ଜବତ କରାଯାଇଥିବା ନିଶା ସାମଗ୍ରୀକୁ କୋର୍ଟଙ୍କ ନିର୍ଦ୍ଦେଶରେ ନଷ୍ଟ କରାଯାଇଥିଲା। ବାଲେଶ୍ୱର ଜିଲ୍ଲାରୁ ମୋଟ ୧୧ ଟି କେଶରେ ୨୩୮ କେଜି ଗଞ୍ଜେଇ, ୧୧ କେଜି ବ୍ରାଉନ ସୁଗାର, ମୟୁରଭଞ୍ଜ ଜିଲ୍ଲାରୁ ୮ଟି କେଶରେ ୯୩୮ କେଜି ଗଞ୍ଜେଇ ଓ ଭଦ୍ରକ ଜିଲ୍ଲାରୁ ୪ଟି କେଶରେ ୧୨୬ କେଜି ଗଞ୍ଜେଇ ନଷ୍ଟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତିନି ଜିଲ୍ଲାର ସମସ୍ତ ଥାନାର ଅଧିକାରୀ, ଅବକାରୀ ବିଭାଗର ଅଧିକାରୀ ଏବଂ ଡିସପୋଜାଲ ଟିମ, ସ୍ଥାନୀୟ ଜନସାଧାରଣ,ସମାଜସେବୀ ଉପସ୍ଥିତ ରହି ଥିଲେ।
