*କୃଷକ, ଶ୍ରମିକ ଓ କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା ନେଇ ନବୀନ ପଟ୍ଟନାୟକଙ୍କ ସହ ସାମଗ୍ରିକ ଆଲୋଚନା*
କେନ୍ଦୁପତ୍ର ତୋଳାଳୀ, ଚାଷୀ, ଶ୍ରମିକଙ୍କ ସ୍ୱାର୍ଥପାଇଁ ବିଧାନସଭାରେ ସ୍ୱର ଉଠାଇବା ପାଇଁ ବିରୋଧୀଦଳ ନେତାଙ୍କୁ ଅନୁରୋଧ।
ସମ୍ବଲପୁର, (ଭଂଜଦୂତ )ନିପ୍ର ୦୧/୦୭: ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ଜିଲ୍ଲାରୁ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ଓଡ଼ିଶା ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କୃଷକ, ଶ୍ରମିକ ଏବଂ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀଙ୍କ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ସାମଗ୍ରିକ ଆଲୋଚନା କରିବା ସହ ବିଧାନ ସଭାରେ ସାମୂହିକ ସ୍ୱାର୍ଥର ସ୍ୱରକୁ ବିଧାନସଭା ଉତ୍ଥାପନ ପାଇଁ ଅନୁରୋଧ।
ଆଲୋଚନାରେ ରାଜ୍ୟର କୃଷକମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ, କୃଷି କ୍ଷେତ୍ରର ସାର ଅଭାବ, ଶ୍ରମିକଙ୍କ ଅଧିକାର ଓ କଲ୍ୟାଣମୂଳକ ପଦକ୍ଷେପ ସହ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀଙ୍କ ଦୀର୍ଘଦିନର ଦାବି ଉପରେ ଗୁରୁତ୍ୱର ସହ ଆଲୋଚନା ହୋଇଥିଲା। ବିଶେଷକରି କେନ୍ଦୁପତ୍ର କ୍ରୟ ଦର ବୃଦ୍ଧି, ବକେୟା ବୋନସ ପ୍ରଦାନ, ସିଜିନାଲ କର୍ମଚାରୀଙ୍କ ମଜୁରୀ ସଂଶୋଧନ ଏବଂ କେନ୍ଦୁପତ୍ର ଶ୍ରମିକଙ୍କ ସାମଗ୍ରିକ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରାଯାଇ ପ୍ରତିନିଧି ଦଳ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଥିଲା ଯେ, କୃଷକ, ଶ୍ରମିକ ଓ କେନ୍ଦୁପତ୍ର ତୋଳାଳୀଙ୍କ ସ୍ୱାର୍ଥ ସହ ଜଡ଼ିତ ଏହି ସମସ୍ୟାଗୁଡ଼ିକୁ ବିରୋଧୀ ଦଳ ପକ୍ଷରୁ ବିଧାନସଭା ଓ ସାଧାରଣ ଜନଜୀବନରେ ପ୍ରମୁଖତାର ସହ ଉପସ୍ଥାପନ କରାଯାଉ, ଯାହାଦ୍ୱାରା ସରକାର ଏହି ପ୍ରସଙ୍ଗରେ ଗୁରୁତର ସହ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ।
ଶ୍ରୀ ପଟ୍ଟନାୟକ ପ୍ରତିନିଧି ଦଳର ମତାମତ ଓ ପ୍ରସ୍ତାବକୁ ଗୁରୁତ୍ୱର ସହ ଶୁଣିବା ସହ କୃଷକ, ଶ୍ରମିକ ଏବଂ କେନ୍ଦୁପତ୍ର ତୋଳାଳୀଙ୍କ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଦଳ ପକ୍ଷରୁ ଆବଶ୍ୟକ ସହଯୋଗ ଓ ସମର୍ଥନ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡ଼ି ସାଧାରଣ ସମ୍ପାଦକ ସଂଜିତ ମହାନ୍ତିଙ୍କ ନେତୃତ୍ୱରେ ଶ୍ରମିକ ନେତା ଗୋକୁଳ ମେହେର, ହିଣ୍ଡାଲକୋ ଶ୍ରମିକ ସଂଘ ସଭାପତି ମହମ୍ମଦ ମୁର୍ତ୍ତୁଜା, ପାଟଣାଗଡ କେନ୍ଦୁପତ୍ର ଶ୍ରମିକ ନେତା ଶିବାନନ୍ଦ ପରିଛା, ରେଢ଼ାଖୋଲ କେନ୍ଦୁପତ୍ର ନେତା କିଶୋର ପ୍ରଧାନ, ବଲାଙ୍ଗିର ଚାଷୀ ନେତା ରାଜୁ ମେହେର, ଅନଗୁଳ ବରିଷ୍ଠ ଶ୍ରମିକ ନେତା ରତ୍ନାକର ପ୍ରଧାନ, ଦେବଗଡ ପୂର୍ବତନ ଉପାଧ୍ୟକ୍ଷ ଭୂପେନ୍ଦ୍ର ପ୍ରସାଦ ନାୟକ, ଯୁବ ବିଜେଡି ରାଜ୍ୟ ଉପ ସଭାପତି ମିଲନ ହୋତା ଛାତ୍ର ନେତା ଦେବଜ୍ୟୋତି ପଟ୍ଟନାୟକ, ଅଶୋକ ମାଝି, ସନ୍ଦୀପ ମିଶ୍ର, ଚିତ୍ରସେନ ନାୟକ, ବିକାଶ ପ୍ରଧାନ, ସହ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l
