ବୌଦ୍ଧରେ “ବିକାଶର ଧାରା ଓଡ଼ିଶା ସାରା” ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ।
ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ଭିଜନ-୨୦୩୬ ଉପରେ ବିସ୍ତୃତ ଆଲୋଚନା
ବୌଦ୍ଧ, ତା. ୨୬/୦୬
ଓଡ଼ିଶାର ବିକାଶ ଯାତ୍ରାର ଦୁଇ ବର୍ଷର ସଫଳତାକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ ଭବିଷ୍ୟତର ରୂପରେଖ “ଭିଜନ-୨୦୩୬” ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମର ପ୍ରଥମ ଦିବସ ଆଜି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ଵରେ ବୌଦ୍ଧ ଟାଉନହଲ୍ ଠାରେ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ କଣ୍ଟାମାଳ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ ପ୍ରମୁଖ ଯୋଗଦେଇଥିଲେ । ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। “ବନ୍ଦେ ମାତରମ୍” ସଙ୍ଗୀତ ପରିବେଷଣ ସମଗ୍ର ପରିବେଶରେ ଦେଶପ୍ରେମ ଭାବନା ସୃଷ୍ଟି କରିଥିଲା । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସ୍ୱାଗତ ଭାଷଣ ପ୍ରଦାନ କରି ବିଗତ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ୱାରା ସମ୍ପାଦିତ ବିକାଶମୂଳକ କାର୍ଯ୍ୟ, ଲୋକାଭିମୁଖୀ ଯୋଜନା ଏବଂ ଭିଜନ-୨୦୩୬ ଅନୁଯାୟୀ ବୌଦ୍ଧ ଜିଲ୍ଲାର ଭବିଷ୍ୟତ ବିକାଶ ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ମାନ୍ୟବର ବିଧାୟକ କହିଲେ ଯେ, ରାଜ୍ୟ ସରକାରଙ୍କ ଗତ ଦୁଇ ବର୍ଷର ଶାସନ ଅବଧିରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ମହିଳା ସଶକ୍ତିକରଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ସାଧାରଣ ଲୋକଙ୍କ ଜୀବନଯାତ୍ରାରେ ସକାରାତ୍ମକ ପରିବର୍ତ୍ତନ ଆଣିଛି। ରାଜ୍ୟର ଭିଜନ-୨୦୩୬ ଏବଂ କେନ୍ଦ୍ରର ଭିଜନ- ୨୦୪୭ ଅନୁଯାୟୀ ବୌଦ୍ଧ ଜିଲ୍ଲାର ସ୍ଵପ୍ନ ସାକାର କରିବା ପାଇଁ ସେ ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ରାଜସ୍ୱ ବିଭାଗ ତରଫରୁ ଉପ ଜିଲ୍ଲାପାଳ ଏବଂ ଦକ୍ଷତା ବିକାଶ, ଶିକ୍ଷା, ବୈଷୟିକ ଶିକ୍ଷା, ଶିଳ୍ପ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ନିଜ ନିଜ ବିଭାଗର ସଫଳତା, ଉପଲବ୍ଧି ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ତଥ୍ୟଭିତ୍ତିକ ଉପସ୍ଥାପନା ରଖିଥିଲେ। ଏହି ଅବସରରେ ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେଯେ ଜିଲ୍ଲାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ଓ ଜନସହଭାଗିତା ଅତ୍ୟନ୍ତ ଆବଶ୍ୟକ । ବିକାଶ କେବଳ ଭିତ୍ତିଭୂମି ନିର୍ମାଣରେ ସୀମିତ ନୁହେଁ, ବରଂ ଜନସାଧାରଣଙ୍କ ଜୀବନମାନର ଉନ୍ନତି, ସାମାଜିକ ନ୍ୟାୟ ଓ ସମାବେଶୀ ଅଗ୍ରଗତି ହିଁ ପ୍ରକୃତ ବିକାଶର ପରିମାପ। ସେ ଭିଜନ-୨୦୩୬ ଅନୁଯାୟୀ ବୌଦ୍ଧ ଜିଲ୍ଲାକୁ ଏକ ଆଦର୍ଶ ଓ ସମୃଦ୍ଧ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ ସମସ୍ତଙ୍କ ମିଳିତ ପ୍ରୟାସ ଆହ୍ୱାନ କରିଥିଲେ । ଜିଲ୍ଲାରେ ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ (SIR) କାର୍ଯ୍ୟକ୍ରମରେ ଶତପ୍ରତିଶତ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ସମାରୋହରେ ୧୨ ଜଣ AERO, ୧୨ ଜଣ BL ସୁପରଭାଇଜର ଓ ୩୬ ଜଣ BLOଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ୨୧ ଜଣ ହିତାଧିକାରୀଙ୍କୁ ସଂଶୋଧିତ ପଟ୍ଟା ବଣ୍ଟନ କରାଯାଇଥିଲା । ଜିଲ୍ଲା ଦକ୍ଷତା ବିକାଶ ବିଭାଗ ତରଫରୁ ୪ ଜଣ କୃତୀ ଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ ବିଭାଗର ତରଫରୁ ସଜ୍ଜିତ ହୋଇଥିବା ଉନ୍ନୟନ ପ୍ରଦର୍ଶନୀକୁ ମାନ୍ୟବର ବିଧାୟକ ଉଦ୍ଘାଟନ କରିବା ସହିତ ଅତିଥି ମାନେ ବୁଲି ପରିଦର୍ଶନ କରିଥିଲେ l
ଅତିଥି ଶେଷରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହାପରେ ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ସମାରୋହରେ ବହୁ ସଂଖ୍ୟାରେ ଜନପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ , ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ । ଏହି ସମାରୋହ ଆହୁରି ଦୁଇଦିନ ପର୍ଜନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଜନସାଧାରଣ ଏଥିରେ ବହୁ ସଂଖ୍ୟାରେ ଏଥିରେ ଯୋଗଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।
