ସଡ଼କ ନିର୍ମାଣ ଓ ରକ୍ଷଣାବେକ୍ଷଣରେ ଅବହେଳା କରୁଥିବା ବିଭାଗଗୁଡ଼ିକର ଜବାବଦେହିତା ନିର୍ଦ୍ଧାରଣ ଦାବି ଜୋରଦାର
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
କେସିଙ୍ଗା: କ୍ଷମତାଠାରୁ ଅଧିକ ଭାର ବୋଝେଇ ଯାଉଥିବା ଭାରୀ ଯାନବାହନର ନିରନ୍ତର ଚଳାଚଳ ଏବଂ ତେଲନଦୀର ମୋହନା ଘାଟରୁ ହାଇୱେ ପର୍ଯ୍ୟନ୍ତ ଓଦା ବାଲି ପରିବହନ ଫଳରେ କେସିଙ୍ଗା–ଲୁହୁରାକୁଞ୍ଜ–ଟିଟିଲାଗଡ଼ ମୁଖ୍ୟ ସଡ଼କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ସଡ଼କର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଡ଼ଢା, କଟାଭାଙ୍ଗା ଏବଂ ଉଖୁଡ଼ିଯାଇଥିବା ଅଂଶ ଯୋଗୁଁ ଦୁର୍ଘଟଣାର ଆଶଙ୍କା ଦିନକୁ ଦିନ ବଢ଼ୁଛି।
ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଲୋକ ନିର୍ମାଣ ବିଭାଗ (PWD) ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇଛି।
ସଚେତନ ନାଗରିକମାନଙ୍କ କହିବା ଅନୁସାରେ, ଯଦି କୌଣସି ଯାନଚାଳକ ସମୟରେ ରୋଡ୍ ଟ୍ୟାକ୍ସ, ପରମିଟ୍ ଫି, ପ୍ରଦୂଷଣ ପ୍ରମାଣପତ୍ର କିମ୍ବା ବୀମା ନବୀକରଣ କରନ୍ତି ନାହିଁ, ତେବେ ତାଙ୍କଠାରୁ ତୁରନ୍ତ ଜରିମାନା ଆଦାୟ କରାଯାଏ। କିନ୍ତୁ ସରକାର ଓ ସମ୍ପୃକ୍ତ ବିଭାଗଗୁଡ଼ିକ କରଦାତାଙ୍କୁ ସୁରକ୍ଷିତ ଓ ଉନ୍ନତମାନର ସଡ଼କ ଯୋଗାଇବାରେ ବିଫଳ ହେଉଥିବା ସତ୍ତ୍ୱେ ସେମାନଙ୍କ ଜବାବଦେହିତା କାହିଁକି ନିର୍ଦ୍ଧାରଣ କରାଯାଉନାହିଁ ବୋଲି ପ୍ରଶ୍ନ ଉଠିଛି।
ଖରାପ ସଡ଼କ ଯୋଗୁଁ ଯାନଚାଳକ ଓ ସାଧାରଣ ଲୋକ ଦୁର୍ଘଟଣାର ଶିକାର ହେଉଥିବାରୁ ଦାୟୀ ବିଭାଗ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ସଡ଼କ ନିର୍ମାଣ ଓ ରକ୍ଷଣାବେକ୍ଷଣରେ ଅବହେଳା କରୁଥିବା ଅଧିକାରୀମାନଙ୍କ ଜବାବଦେହିତା ନିର୍ଦ୍ଧାରଣ ପାଇଁ ଦାବି ଜୋରଦାର ହୋଇଛି। ସେହିପରି, ନିୟମ ଉଲ୍ଲଙ୍ଘନ କରି ଅଧିକ ଭାର ବୋଝେଇ ଯାନ ଚଳାଚଳକୁ ପ୍ରୋତ୍ସାହନ ଦେଉଥିବା ସମ୍ପୃକ୍ତ ପରିବହନ ବିଭାଗ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନର ଦାବି କରାଯାଇଛି।
