**ନୂଆପଡ଼ା: ପଞ୍ଚାୟତ କାମର ସମୀକ୍ଷା କଲେ ଜିଲ୍ଲାପାଳ, ସ୍ୱଚ୍ଛତା ଉପରେ ଜୋର୍*
ନୂଆପଡ଼ା(ମିଖାଏଲ ନନ୍ଦ),
ତା. ୧୨/୦୬:
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ମୁଖ୍ୟାଳୟ ସଭାକକ୍ଷରେ ପଞ୍ଚାୟତ କାର୍ଯ୍ୟାବଳୀ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ ଉପସ୍ଥିତ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ସମୀକ୍ଷା ଅନୁଯାୟୀ ଜିଲ୍ଲାର ୧୩୧ଟି ଗ୍ରାମ ପଞ୍ଚାୟତରେ ୫ମ ରାଜ୍ୟ ଅର୍ଥ କମିଶନ ଅନ୍ତର୍ଗତ ମୋଟ ୨୩ କୋଟି ୩୬ ଲକ୍ଷ ୮୩ ହଜାର ୪୮ ଟଙ୍କା ଉପଲବ୍ଧ ଆୟ ମଧ୍ୟରୁ ୧୯ କୋଟି ୬୬ ଲକ୍ଷ ୭୮ ହଜାର ୧୮୬ ଟଙ୍କା ବ୍ୟୟ କରାଯାଇଛି। ଏହାର ସାମଗ୍ରିକ ବ୍ୟୟ ହାର ୮୪.୧୬ ପ୍ରତିଶତରେ ପହଞ୍ଚିଥିବାବେଳେ ପୂର୍ବ ସମୀକ୍ଷା ବୈଠକ ପରଠାରୁ ୧ କୋଟି ୨୦ ଲକ୍ଷ ୬୪ ହଜାର ୬୯୩ ଟଙ୍କାର ଅତିରିକ୍ତ ବ୍ୟୟ ହୋଇଥିବା ଜଣାପଡ଼ିଥିଲା।ବ୍ଲକ ଭିତ୍ତିକ ସମୀକ୍ଷାରେ ନୂଆପଡ଼ା ବ୍ଲକ ୯୩.୧୯ ପ୍ରତିଶତ ବ୍ୟୟ ହାର ସହ ଜିଲ୍ଲାରେ ଶୀର୍ଷ ସ୍ଥାନରେ ରହିଥିବାବେଳେ ଖଡ଼ିଆଳ ବ୍ଲକରେ ୮୯.୦୯ ପ୍ରତିଶତ, ବୋଡ଼େନରେ ୮୩.୧୪ ପ୍ରତିଶତ, କୋମନାରେ ୭୯.୪୨ ପ୍ରତିଶତ ଏବଂ ସିନାପାଲିରେ ୭୮.୨୫ ପ୍ରତିଶତ ବ୍ୟୟ ହୋଇଥିବା ଜଣାପଡ଼ିଥିଲା।ସେହିପରି ୧୫ତମ କେନ୍ଦ୍ରୀୟ ଅର୍ଥ କମିଶନର ଅନଟାଇଡ୍ ଅନୁଦାନରେ ଜିଲ୍ଲାର ସାମଗ୍ରିକ ବ୍ୟୟ ହାର ୭୩.୫୪ ପ୍ରତିଶତରେ ପହଞ୍ଚିଥିବା ବେଳେ ପୂର୍ବ ସମୀକ୍ଷା ବୈଠକ ପରଠାରୁ ୨ କୋଟି ୧୬ ଲକ୍ଷ ୨୬ ହଜାର ୪୯ ଟଙ୍କାର ଅତିରିକ୍ତ ବ୍ୟୟ ସଂପାଦିତ ହୋଇଛି। ଏହି କ୍ଷେତ୍ରରେ ମଧ୍ୟ ନୂଆପଡ଼ା ବ୍ଲକ ୮୮.୧୮ ପ୍ରତିଶତ ବ୍ୟୟ ହାର ସହ ଜିଲ୍ଲାରେ ଅଗ୍ରଣୀ ସ୍ଥାନରେ ରହିଛି।ଜିଲ୍ଲାପାଳ ଶ୍ରୀ ଦାଶ କ୍ୟାସ୍ ବୁକ୍ ନିୟମିତ ଅପଡେଟ ରଖିବା ସହ ବିଭିନ୍ନ କାର୍ଯ୍ୟାନ୍ୱୟନରେ ସତତା ଓ ସ୍ୱଚ୍ଛତା ବଜାୟ ରଖିବାକୁ ଗୁରୁତ୍ୱ ଦେଇଥିଲେ। ଜିଲ୍ଲାରେ ସ୍ୱଚ୍ଛ ପ୍ରଶାସନ ଯୋଗୁଁ ଦୁର୍ନୀତିକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିଛି ବୋଲି ସେ କହିଥିଲେ।ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ସେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ୱାନ ଜଣାଇଥିଲେ। ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ମୁକ୍ତ ଗ୍ରାମ ପଞ୍ଚାୟତଗୁଡ଼ିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ କରାଯିବ ବୋଲି ସେ ଘୋଷଣା କରିଥିଲେ।ଜିପିଡିଓମାନଙ୍କୁ ନିୟମିତ ଭାବେ ଗ୍ରାମ ପଞ୍ଚାୟତ ପରିଦର୍ଶନ କରି କାର୍ଯ୍ୟର ନିରୀକ୍ଷଣ ଓ ଅଗ୍ରଗତି ସମୀକ୍ଷା କରିବାକୁ କୁହାଯାଇଥିଲା। ପରିଦର୍ଶନରେ ଅବହେଳା କଲେ ବେତନ ରୋକାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇଥିବାବେଳେ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରୁଥିବା ଜିପିଡିଓମାନଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ଦେଇଥିଲେ।
ଏହି ବୈଠକରେ ଡିପିଓ କାର୍ଯ୍ୟାଳୟର ଉପବିଭାଗୀୟ ଅଧିକାରୀ ସୁଶାନ୍ତ କୁମାର ଦେଉରୀ, ନୂଆପଡ଼ା ଏବିଡିଓ ଜ୍ଞାନ ରଞ୍ଜନ ଭୋଇ, କୋମନା ଏବିଡିଓ ଭକ୍ତବନ୍ଧୁ ବୁଡେକ, ଖଡ଼ିଆଳ ଏବିଡିଓ କ୍ଷିତିସୁତା ବାଗ, ସିନାପାଲି ଏବିଡିଓ ସୁବ୍ରତ କୁମାର ପରିଡ଼ା, ବୋଡ଼େନ ଏବିଡିଓ ଏବଂ ଜିଲ୍ଲାର ସମସ୍ତ ଜିପିଡିଓ ତଥା ପଞ୍ଚାୟତ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
