ବ୍ରହ୍ମପୁର ବେଦ ପ୍ରଚାର ସମିତିର ଚତୁର୍ଦିବସୀୟ ବେଦ ପ୍ରବଚନ କାର୍ଯ୍ୟକ୍ରମ ଉଦ୍ଘାଟିତ
ବ୍ରହ୍ମପୁର -୧୨/୦୬/୨୦୨୬
ମନୁଷ୍ୟ ସକଳ ଦୁଃଖରୁ ନିବୃତ୍ତି ପାଇଁ ତଥା ସୁଖ ପ୍ରାପ୍ତି ପାଇଁ ସର୍ବଦା ଚେଷ୍ଟିତ । ଏଥିପାଇଁ ସେ ନିରନ୍ତର ନୂଆ ନୂଆ ସୁଖ ସାଧନ ର ଉଦ୍ଭାବନ କରି ଚାଲିଛି । ଜୀବନକୁ ସୁଖମୟ କରିବାର ଏତେ ଭୌତିକ ସାଧନ ବିଦ୍ୟମାନ ଥିବା ସତ୍ତ୍ୱେ ମଣିଷର ଜୀବନ ପୂର୍ବପେକ୍ଷା ଅଧିକ ଅଶାନ୍ତିମୟ, ଚାପଗ୍ରସ୍ଥ, ସମସ୍ୟା ବହୁଳ ହୋଇ ଯାଇଛି । ପୃଥିବୀରେ ହିଂସା, ରକ୍ତପାତ, ଧାର୍ମିକ ଅସହିଷ୍ନୁତା, ଆତଙ୍କବାଦର ତାଣ୍ଡବ ନୃତ୍ୟ ଲାଗି ରହିଛି । ଏସବୁର କାରଣ ହେଲା ମଣିଷର ନୈତିକ ମୂଲ୍ୟବୋଧର ଅବକ୍ଷୟ । ବେଦ ନୈତିକ ମୂଲ୍ୟବୋଧର ଶିକ୍ଷ୍ୟା ଦିଏ ଓ ଶାଶ୍ବତ ଶାନ୍ତିର ରାଜପଥ ଦେଖାଏ। ବେଦର ଶିକ୍ଷ୍ୟା ସାର୍ବଭୌମ, ସାର୍ବକାଳିକ, ସାର୍ବଜନୀନ, ମାନବତାବାଦୀ ତଥା ବର୍ଗ – ଜାତି – ରଙ୍ଗ – ଲିଙ୍ଗଗତ ଭେଦ ଭାବ, ରାଗ ଦ୍ୱେଷ, ପକ୍ଷପାତ ଆଦିରୁ ରହିତ। ଘରେ ଘରେ ବେଦର ଶିକ୍ଷ୍ୟା ଦିଆଗଲେ ଆମର ପାରିବାରିକ ତଥା ସାମାଜିକ ଶାନ୍ତି ପ୍ରତିଷ୍ଠା ହେବ ।
ବ୍ରହ୍ମପୁର ବେଦ ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ଗିରି ରୋଡ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପାଢ଼ୀ ସେଳିବ୍ରେସନ୍ ହଲ୍ ଠାରେ ଚଳିତ ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଚତୁର୍ଦିବସୀୟ ବେଦ ପ୍ରବଚନ କାର୍ଯ୍ୟକ୍ରମର ଉଦ୍ଘାଟନ କରି ଶ୍ରୁତିନ୍ୟାସର ଅଧ୍ୟକ୍ଷ ତଥା ବେଦଧାମର ପ୍ରତିଷ୍ଠାତା ପରମ ପୂଜ୍ୟ ସ୍ବାମୀ ସୁଧାନନ୍ଦ ସରସ୍ଵତୀ ମହାରାଜ ଉପରୋକ୍ତ ବିଚାର ବ୍ୟକ୍ତ କରିଛନ୍ତି ।
ପାଢ଼ୀ ସେଳିବ୍ରେସନ୍ ର ପ୍ରତିଷ୍ଠାତା ତଥା ଲାୟନ୍ସ କ୍ଳବ୍ ବ୍ରହ୍ମପୁରର ପୂର୍ବତନ ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ସୁରେଶ ଚନ୍ଦ୍ର ପାଢ଼ୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାମୀଜୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ବେଦ ପ୍ରଚାର ସମିତି ବ୍ରହ୍ମପୁର ଶାଖାର ଉପ ସଭାପତି ବିଷ୍ଣୁ ପ୍ରସାଦ ମୁନି, ସମ୍ପାଦକ ଆର୍ ମୋହନ ରେଡ୍ଡୀ, ପ୍ରମୁଖ ସଦସ୍ୟ ଅଶୋକ ସୁବୁଦ୍ଧି, ବସନ୍ତ କୁମାର ଚୌଧୁରୀ, ବ୍ରହ୍ମଚାରୀ ସଞ୍ଜୟ, ଟି. ଭେଙ୍କେଟ ରାଓ, ବାବୁଲା ଶୁକ୍ଳା, ପ୍ରଦୀପ ପଣ୍ଡା, ସନ୍ତୋଷ କୁମାର ସାହୁ, ଦୀପ୍ତିରାଣୀ ମହାନ୍ତି, ଲକ୍ଷ୍ମୀ ମୁନି, ଉଷା ରେଡ୍ଡୀ, ଅନିତା ପାତ୍ର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସାହାଯ୍ୟ କରିଥିଲେ । ଏଥିରେ ୪୦୦ ରୁ ଉର୍ଦ୍ଧ୍ବ ବେଦ ପ୍ରେମୀ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହା ଆଗାମୀ ୧୫ ତାରିଖ ଯାଏଁ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।
