ବୌଦ୍ଧ ଜିଲ୍ଲାପାଳଙ୍କ ଦୁର୍ଗମ ଦୀଗପଦର ଗ୍ରାମ ଗସ୍ତ , ଆଦିବାସୀ ପରିବାରଙ୍କ ସହ ଆଲୋଚନା, ବିକାଶମୂଳକ ପଦକ୍ଷେପ ପାଇଁ ନିର୍ଦ୍ଦେଶ ।
ବୌଦ୍ଧ, ତା.୦୮/୦୬
ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତର ଦୁର୍ଗମ ଦୀଗ ପଦର ଗ୍ରାମ ପଦ ଯାତ୍ରାରେ ଗସ୍ତ କରି ସେଠାକାର ଆଦିବାସୀ ପରିବାରମାନଙ୍କ ସହିତ ମିଶି ସେମାନଙ୍କ ବିଭିନ୍ନ ସମସ୍ୟା ଓ ଜୀବନଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ । ଚାରିଛକ ମୁଖ୍ୟାଳୟ ନିକଟରେ ଅବସ୍ଥିତ ହୋଇଥିଲେ ମଧ୍ୟ ରାସ୍ତାଘାଟର ଅଭାବ ଯୋଗୁଁ ପାହାଡ଼ କୋଳରେ ଥିବା ଏହି ଗ୍ରାମଟି ଦୀର୍ଘଦିନ ଧରି ଦୁର୍ଗମ ଅଞ୍ଚଳ ଭାବେ ପରିଚିତ । ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ସେମାନେ ଗମନାଗମନ ସୁବିଧା ପାଇଁ ରାସ୍ତା ନିର୍ମାଣ ଦାବି ରଖିଥିଲେ । ବିଶେଷକରି ହରିଡାବିଡା ଠାରୁ ରଙ୍ଗମାଟିଆ ଓ ଆଡେଣିଗଡ ପର୍ଯ୍ୟନ୍ତ ପ୍ରାୟ ୧୧ କିଲୋମିଟର ଜଙ୍ଗଲ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀମାନେ ଅନୁରୋଧ କରିଥିଲେ । ଗ୍ରାମରେ ଥିବା ସୌରଚାଳିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ମରାମତି ଓ ସଚଳ କରିବା ପାଇଁ ଜିଲ୍ଲାପାଳ ଆରଡବ୍ଲ୍ୟୁଏସ୍ଏସ୍ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ଗ୍ରାମବାସୀଙ୍କ ଜୀବିକା, କୃଷି କାର୍ଯ୍ୟକଳାପ ଏବଂ ଆୟବୃଦ୍ଧିର ସମ୍ଭାବନା ସମ୍ପର୍କରେ ବୁଝିବା ସହ ଉନ୍ନତ କୃଷି ପଦ୍ଧତି ଓ ବିକଳ୍ପ ଜୀବିକା ମାଧ୍ୟମରେ ଆର୍ଥିକ ସ୍ୱାବଲମ୍ବନ ହାସଲ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ରାସନ କାର୍ଡ ଓ ଚାଉଳ ବଣ୍ଟନର ସ୍ଥିତି, ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ, ଏବଂ ଗ୍ରାମୀଣ ଆବାସ ଯୋଜନାର ସୁବିଧା ଗ୍ରାମବାସୀମାନେ ସଠିକ୍ ଭାବରେ ପାଉଛନ୍ତି କି ନାହିଁ ସେସବୁ ବିଷୟରେ ସିଧାସଳଖ ଭାବେ ପଚାରି ବୁଝିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଦୀପଦର ଗ୍ରାମରେ ମାତ୍ର ୧୧ଟି ପରିବାରର ୪୩ ଜଣ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ସେମାନଙ୍କ ମୌଳିକ ସୁବିଧା ଓ ଜୀବନମାନର ଉନ୍ନତି ପାଇଁ ପ୍ରଶାସନ ସଦା ତତ୍ପର ରହିବ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଥିଲେ।ଏହି ଗସ୍ତ ସମୟରେ ହରଭଙ୍ଗା ତହସିଲଦାର କର୍ଣ ସୁନା , ବୌଦ୍ଧ ଡିଏଫଓ ରାଜେନ୍ଦ୍ର ଗୋଛାୟାତ , ଏବିଡିଓ ଏବିଡ଼ିଓ ସତ୍ୟପ୍ରିୟ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ହରଭଙ୍ଗା ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ଜିଲ୍ଲାପାଳଙ୍କୁ ନିଜ ଗ୍ରାମରେ ପାଇ ଗ୍ରାମବାସୀମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ସେମାନଙ୍କ ସହ କିଛି ସମୟ ଅତିବାହିତ କରି ସୁଖ-ଦୁଃଖରେ ସାମିଲ ହୋଇଥିବାରୁ ଗ୍ରାମବାସୀମାନେ ତାଙ୍କୁ କୃତଜ୍ଞତା ଜଣାଇଥିଲେ।
