ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ପ୍ରଚାର ରଥର ଶୁଭାରମ୍ଭ l
ବୌଦ୍ଧ, ତା. ୩୦.୦୫. ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision–SIR) କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭ ଉଦଘାଟନ କରାଯାଇଛି ।
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ସବୁଜ ପତାକା ପ୍ରଦର୍ଶନ କରି ପ୍ରଚାର ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ଆଗାମୀ ଦିନଗୁଡ଼ିକରେ ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ ଓ ସହରାଞ୍ଚଳ ପରିଭ୍ରମଣ କରି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ, ବିଲୋପ, ସଂଶୋଧନ ଓ ସ୍ଥାନାନ୍ତରଣ ସମ୍ବନ୍ଧୀୟ ସୂଚନା ପ୍ରଦାନ ସହ ମତଦାତାଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରଚାର କରିବ।ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଏକ ନିର୍ଭୁଲ, ଅଦ୍ୟତନ ଓ ସ୍ୱଚ୍ଛ ଭୋଟର ତାଲିକା ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ଆଧାର। ତେଣୁ ଯୋଗ୍ୟ ନାଗରିକମାନେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସୁଯୋଗ ନେଇ ନିଜ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସହ ଆବଶ୍ୟକ ସଂଶୋଧନ କରାଇବା ପାଇଁ ଆଗେଇ ଆସିବା ଉଚିତ। ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଡେପୁଟି କଲେକ୍ଟର (ନିର୍ବାଚନ) ମନସିତ ସ୍ୱରୂପ, ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଡେପୁଟି କଲେକ୍ଟରମାନେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବିଭିନ୍ନ ବିଭାଗର କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ସମସ୍ତ ଯୋଗ୍ୟ ନାଗରିକଙ୍କ ନିକଟରେ SIR ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ଏବଂ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ଏହି ପ୍ରଚାର ରଥର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
