**ନୂଆପଡାରେ ଆଇଏମଏଫଏଲ ଦୋକାନ ଲଟେରୀ ପ୍ରକ୍ରିୟା ପାଇଁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ* ।
ନୂଆପଡ଼ା(ମିଖାଏଲ ନନ୍ଦ)
ତାରିଖ : ୨୮/୦୫
ନୂଆପଡ଼ା ଆବକାରୀ ଜିଲ୍ଲାର ୨୦୨୬-୨୭ ବର୍ଷ ଆଇଏମଏଫଏଲ (IMFL “OFF”) ଦୋକାନଗୁଡ଼ିକର ବଣ୍ଟନ ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଲଟେରି ପ୍ରକ୍ରିୟାର ସୁପରିଚାଳନା ଓ ସୁଚାରୁ ଆୟୋଜନ ନେଇ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ ଲଟେରି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଓ ସୁବ୍ୟବସ୍ଥିତ ଭାବେ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ପୁଲିସ ବଳ ମୁତୟନ, ଆବେଦନକାରୀଙ୍କ ସୁବିଧା ପାଇଁ ପ୍ରଥମିକ ଚିକିତ୍ସା ବ୍ୟବସ୍ଥା ଓ ଆମ୍ବୁଲାନ୍ସ ଏବଂ ଭିଡ଼ ନିୟନ୍ତ୍ରଣ ନେଇ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ସମୀକ୍ଷା କରିଥିଲେ।
ସୂଚନାଯୋଗ୍ୟ ଯେ, ଜିଲ୍ଲାର ମୋଟ ୯ଟି ଆଇଏମଏଫଏଲ୍ ଦୋକାନ ପାଇଁ ୨୮୦ଟି ଆବେଦନ ଗ୍ରହଣ କରାଯାଇଛି। ଆସନ୍ତାକାଲି ସକାଳ ୧୦ଟାରେ ନୂଆପଡ଼ା ସ୍ଥିତ ସଦ୍ଭାବନା ସଭାଗୃହରେ ସାଧାରଣ ଜନତା ଏବଂ ଆବେଦନକାରୀମାନଙ୍କ ଉପସ୍ଥିତିରେ ଖୋଲା ଲଟେରି ମାଧ୍ୟମରେ ଦୋକାନ ବଣ୍ଟନ ପ୍ରକ୍ରିୟା ସମ୍ପନ୍ନ କରାଯିବ।
ଆବକାରୀ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଲଟେରି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ନିର୍ଦ୍ଧାରିତ ନିୟମାବଳୀ ଅନୁସାରେ ଏବଂ ସାର୍ବଜନୀନ ଭାବେ ପରିଚାଳିତ ହେବ। ଏହି ଅବସରରେ ସମସ୍ତ ଆବେଦନକାରୀଙ୍କୁ ନିର୍ଦ୍ଧାରିତ ସମୟରେ ସଦ୍ଭାବନା ସଭାଗୃହରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ, ଡେପୁଟି ଜିଲ୍ଲାପାଳ (ରାଜସ୍ୟ) ସୂଚିସ୍ମିତା ମହାଉତୀ, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଏବଂ ଆବକାରୀ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।
