ଆମ୍ବେଦକର ସାମାଜିକ ପରିବର୍ତ୍ତନ ମଞ୍ଚ ଓ ଭୀମ ଆର୍ମି ପକ୍ଷରୁ ଦେବଗଡ଼ ନୂତନ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
ନୂତନ ସିଡିଏମଓଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ
ଦେବଗଡ଼ : ଦେବଗଡ଼ ଜିଲ୍ଲା ଆମ୍ବେଦକର ସାମାଜିକ ପରିବର୍ତ୍ତନ ମଞ୍ଚ ଓ ଭୀମ ଆର୍ମି ପକ୍ଷରୁ ଆଜି ଦେବଗଡ଼ ନୂତନ ମୁଖ୍ୟ ଚିକିତ୍ସାଳୟର ପରିଦର୍ଶନ କରାଯାଇଥିଲା। ପରିଦର୍ଶନ ସମୟରେ ହସ୍ପିଟାଲରେ ରହିଥିବା ବିଭିନ୍ନ ସମସ୍ୟା ସଂଗଠନର ସଦସ୍ୟମାନଙ୍କ ଦୃଷ୍ଟିଗୋଚର ହୋଇଥିଲା।
ବିଶେଷ କରି ହସ୍ପିଟାଲର ଲିଫ୍ଟରେ ଫ୍ୟାନ ସଂଯୋଗ ନଥିବା, ଚାଲୁଥିବା ସମୟରେ ଲିଫ୍ଟ ହଠାତ୍ ବନ୍ଦ ହୋଇଯିବା, ରୋଗୀ କକ୍ଷଗୁଡିକରେ ଆବଶ୍ୟକ ଅନୁଯାୟୀ ଫ୍ୟାନର ଅଭାବ, ଏବଂ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କ ପାଇଁ ଫ୍ୟାନ କିମ୍ବା କୁଲର ଭଳି ମୌଳିକ ସୁବିଧା ନଥିବା ଭଳି ସମସ୍ୟା ଦେଖିବାକୁ ମିଳିଥିଲା। ଏହା ସହ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ଅଭିଯୋଗ ଶୁଣିବାକୁ ମିଳିଥିଲା।
ଏହି ସମସ୍ତ ସମସ୍ୟାକୁ ନେଇ ସଂଗଠନ ପକ୍ଷରୁ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କୁ ସାକ୍ଷାତ କରାଯାଇଥିଲା। ସେମାନଙ୍କ ସହ ଆଲୋଚନା କରି ହସ୍ପିଟାଲର ସମସ୍ୟାଗୁଡିକର ଶୀଘ୍ର ସମାଧାନ ପାଇଁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।
ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଆଇନଜୀବୀ ଚୌଧୁରୀ ବେହେରା, ଜିଲ୍ଲା ସଂଯୋଜକ ବୁଲୁ ମାନବ, କୋଷାଧ୍ୟକ୍ଷ ପରମାନନ୍ଦ କୁସୁମ, ଭୀମ ଆର୍ମି ସଭାପତି ରିତେଶ ବେହେରା ଓ ସହ-କୋଷାଧ୍ୟକ୍ଷ ବିକାଶ ରଞ୍ଜିତ ପ୍ରମୁଖ ଉପସ୍ଥିତ ଥିଲେ।
ଦେବଗଡ଼ରୁ ସୁରେଶଙ୍କ ରିପୋର୍ଟ।
